fbpx
BSKY SKY
BSKY SKY

ଯୌତୁକ ଜୁଇରେ ଜଳିଗଲା ମୋନାଲିସା: ସ୍ୱାମୀ ଫେରାର, ଶଶୁର ଓ ନଣନ୍ଦ ଅଟକ

BSKY

ତିହିଡ,(ଭାସ୍କର ନ୍‌ଯୁଜ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତାଳପଦା ପଞ୍ଚାୟତ ଅଧୀନ ଗଦାଧରପୁର ଗ୍ରାମର ମୋନାଲିସା (୨୫) ନାମ୍ନି ଜଣେ ମହିଳା ଯୌତୁକୁ ଜୁଇରେ ଜଳିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକ ପାଇଁ ମୋନାଲିସାଙ୍କୁ ତାଙ୍କ ଶଶୁରଘର ପରିବାର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୋଲିସ ୨୭୮/୨୨ ଦଫା ୪୯୮(କ), ୩୦୪(ଖ), ୩୦୨, ୩୪ ଆଇପିସି ଏବଂ ୪ଡି ଆକ୍ଟ ମୂଳେ ଶ୍ବଶୁର ଲକ୍ଷ୍ମୀଧର ନାୟକ ଓ ବିବାହିତ ନଣନ୍ଦ ସୁଲୋଚନା ବିଶ୍ୱାଳ, ସ୍ୱାମୀ ବିଜୟ ନାୟକ, ଦିଅର ଅଜୟ ନାୟକ, ଭଣଜା ସନ୍ତୋଷ ବିଶ୍ୱାଳ ଓ ଚନ୍ଦନ ବିଶ୍ୱଳଙ୍କ ନାମରେ ଏକ ମକଦ୍ଦମା ରୁଜୁ କରିଥିବା ବେଳେ ଶଶୁର ଏବଂ ନଣନ୍ଦଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିବା ବେଳେ ସ୍ୱୀମୀ ବିଜୟ ନାୟକ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତ ମୋନାଲିସାର ଶବ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ମୋନାଲିସାର ମା’ ମମତା ନାୟକଙ୍କ ଅଭିଯୋଗରୁ ପ୍ରକାଶ ଯେ, କୁବେରା ପଞ୍ଚାୟତ ଅଧୀନ ଜୟପୁର ଗ୍ରାମର ଅଜିତ କୁମାର ନାୟକଙ୍କ ଝିଅ ମୋନାଲିସା ୮ବର୍ଷ ତଳେ ତାଳପଦା ପଞ୍ଚାୟତ ଗଦାଧରପୁର ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ବିଜୟ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଶଶୁର ଘର ପକ୍ଷରୁ ଦାବି ମୁତାବକ ୮୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜାନି ଯୌତୁକ ଦିଆଯାଇଥିଲା । ମାତ୍ର ବିବାହର କିଛି ଦିନ ପରେ ଅଧିକ ୧ଲକ୍ଷ ଟଙ୍କା ଦାବି କରି ଶଶୁରଘର ଲୋକେ ମୋନାଲିସାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଏହି ଅଧିକ ଯୌତୁକକୁ ନେଇ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ବୁଝାମଣା ହୋଇଥିଲା । ମାତ୍ର ଜୁନ୍‌ ୨୯ ତାରିଖରେ ମୋନାଲିସାଙ୍କର ମୃତ୍ୟୁ ହୋଇଥିଲା । ମୃତ ମୋନାଲିସାଙ୍କ ସ୍ୱାମୀ ବିଜୟ ଶାଶୁଙ୍କ ନିକଟକୁ ଖବର ଦେଇଥିଲେ ଯେ ତମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସେ ଡାକ୍ତରଖାନାରେ ଅଛି ବୋଲି କହିଥିଲେ । ଏହି ଖବର ଦେବା ପରେ ମୋନାଲିସାର ଶଶୁର ଓ ନଣନ୍ଦ ଡାକ୍ତରଖାନାରେ ଶବକୁ ଛାଡ଼ି ପଳାଇ ଯାଉଥିଲେ । ମୃତ ମୋନାଲିସାର ବାପଘର ଲୋକ ଖବର ପାଇ ଡାକ୍ତରଖାନା ଆସୁଥିବା ବେଳେ ଶଶୁର ଓ ନଣନ୍ଦକୁ ପଳାଇ ଯାଉଥିବାର ଦେଖି ବାଟରେ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୋଲିସ ମୋନାଲିସାର ଶଶୁର ଲକ୍ଷ୍ମୀଧର ଓ ନଣନ୍ଦ ସୁଲୋଚନାକୁ ଥାନାରେ ଅଟକ ରଖିଥିଲେ । ପରେ ମୋନାଲିସାକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ ମୃତ ମୋନାଲିସାର ଗୋଟିଏ ଦୁଇ ବର୍ଷର ପୁଅ ଏବଂ ଗୋଟିଏ ଚାରି ବର୍ଷର ଝିଅ ଅଛି । ମୃତ ମୋନାଲିସାର ସ୍ୱାମୀ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.