fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ବିଳମ୍ବିତ ରାତ୍ରିରେ ଆସିଲା କଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ହତ୍ୟା ଧମକ । ବିଳମ୍ବିତ ରାତ୍ରିରେ କେହି ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସକୁ କଲ କରି ଏହି ଧମକ ଦେଇଥିବା ଜଣାପଡ଼ିଛି । ଧମକ ଦେଇଥିବା ବ୍ୟକ୍ତିଙ୍କର ନାମ ଜୟ ପ୍ରକାଶ ଓ ସେ ମୁଣ୍ଡକା ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ଆଲର୍ଟ ହେବା ସହ ମାମଲାର ଖୋଳତାଡ଼ ଆରମ୍ଭ କରିଛି ।

ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସକୁ କିଛି ତଥ୍ୟ ମିଳିଛି । ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଅବସ୍ଥା ଠିକ୍ ନାହିଁ । ସେ ଜଣେ ମାନସିକ ରୋଗୀ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ତଦନ୍ତରୁ ପୋଲିସକୁ ଏହି ତଥ୍ୟ ମିଳିଥିବା ବେଳେ ଏହା ପଛରେ ଆଉ କେଉଁ ମାନଙ୍କର ହାତ ଅଛି କି ନା ସେନେଇ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି ।

ସୂଚନାଯୋଗ୍ୟ ଯେ, ରାଜନେତାଙ୍କୁ ଅଧିକାଂଶ ସମୟରେ ଅଜଣା ସୂତ୍ରରୁ ହତ୍ୟା ଧମକ ମିଳିଥାଏ । ଏହା ପୂର୍ବରୁ ଗତ ୨୭ ତାରିଖରେ ମୁମ୍ବାଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାରଙ୍କୁ ହତ୍ୟାର ଧମକ ମିଳିଥିଲା । ଆଶିଷଙ୍କ ବାନ୍ଦ୍ରା ସ୍ଥିତ ଅଫିସକୁ ଏକ ହତ୍ୟା ଧମକଭରା ଚିଠି ଆସିଥିଲା । ଆଶିଷଙ୍କୁ ଟୁକଡ଼େ ଟୁକଡ଼େ କରିଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା ।

ସେହିପରି ଗତ ୧୪ ତାରିଖରେ କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ଗଡ଼କରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ କଲ କରି ତାଙ୍କୁ ମାରି ଦେବାକୁ ହତ୍ୟା ଧମକ ମିଳିଥିଲା । ସକାଳ ୧୧.୩୦ରୁ ୧୧.୪୦ ମଧ୍ୟରେ ଅଫିସକୁ ଦୁଇ ଥର ଫୋନ୍ କଲା ଆସିଥିଲା ।

Get real time updates directly on you device, subscribe now.