fbpx

IMF ଦେଲା ଚେତାବନୀ: ଭାରତର ଋଣ ଭାର ୨୦୫ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦେଶର ମୋଟ କରଜ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ବୃଦ୍ଧି ପାଇଁ ୨.୪୭ ଲକ୍ଷ କୋଟି ଡଲାର ବା ୨୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି ।

ଏକ ରିପୋର୍ଟ ମୁତାବକ, ଏହା ପୂର୍ବରୁ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ତିନି ମାସରେ ମୋଟ କରଜ ୨.୩୪ ଲକ୍ଷ କୋଟି ଡଲାର ବା ପାଖାପାଖି ୨୦୦ ଲକ୍ଷ କୋଟି ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ତିନିମାସରେ କେନ୍ଦ୍ର ସରକାରଙ୍କ କରଜ ୧୬୧.୧ ଲକ୍ଷ କୋଟି ରହିଥିବା ବେଳେ ମାର୍ଚ୍ଚରେ ତାହା ୧୫୦.୪ ଲକ୍ଷ କୋଟିରେ ପହଞ୍ଚିଥିଲା । ଏଥିସହିତ ସେଥିରେ ରାଜ୍ୟମାନଙ୍କର ମୋଟ ୫୦.୧୮ ଲକ୍ଷ କୋଟିର କରଜ ସାମିଲ ରହିଥିଲା ।

ଆରବିଆଇ, ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ), ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି)ର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଉପରେ ୧୬୧.୧ ଲକ୍ଷ କୋଟି ଅର୍ଥାତ ସର୍ବାଧିକ ୪୬.୦୪ ପ୍ରତିଶତ କରଜ ରହିଥିବା କୁହାଯାଇଛି । ଏଥିସହିତ ରାଜ୍ୟମାନଙ୍କ ଉପରେ ୫୦.୧୮ ଲକ୍ଷ କୋଟି ବା ୨୪.୪ ପ୍ରତିଶତ କରଜ ରହିଛି । ଏହା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) କରଜକୁ ନେଇ ଭାରତକୁ ଚେତାବନୀ ଦେଇଥିଲେ । ଦୀର୍ଘ ଅବଧିରେ ଏହି କରଜକୁ ସୁଝିବା ନେଇ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଏହି ବିଶ୍ୱ ସଂଗଠନ ପକ୍ଷରୁ କୁହାଯାଇଥିଲା । ତେବେ ଆଇଏମଏଫର ଏହି ରିପୋର୍ଟକୁ ନେଇ କେନ୍ଦ୍ର ସରକାର ଅସହମତି ପ୍ରକାଶ କରିଥିଲେ । ଅଧିକାଂଶ କରଜ ଭାରତୀୟ ମୁଦ୍ରାରେ କରାଯାଇଥିବାରୁ ଏନେଇ ଆଶଙ୍କା କମ୍ ଥିବା କୁହାଯାଇଥିଲା ।

Get real time updates directly on you device, subscribe now.