fbpx

(Video) ଦୀନେଶଙ୍କର ଦେଖା ମିଳୁନି: ଦୀପିକା କରିବେ ସରକାରୀ ଚାକିରି! ପୁଅ ପାଇଁ କରିବେ ସଂଘର୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୪୦ ଦିନରୁ ଅଧିକ ସମୟ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜ ସନ୍ତାନର ଅଧିକାର ପାଇଁ ଦିନେଶଙ୍କୁ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ଦୀପିକା-ଦିନେଶଙ୍କୁ ନେଇ ଏକାଧିକ ଭିଡିଓ ସାମ୍ନାକୁ ଆସିସାରିଛି । ଦୀର୍ଘଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଦୀପିକା ନ୍ୟାୟ ପାଇ ପାରିନାହାନ୍ତି ।

ତେବେ ଦୀପିକାଙ୍କୁ ନେଇ ଏକ ନୂଆ ଖବର ଆସିଛି । ଦୀପିକା ପୂର୍ବରୁ ପରିବାର ପ୍ରତିପୋଷଣ ପାଇଁ ପାର୍ଟଟାଇମ୍ କାମ କରୁଥିଲେ । ଏବେ ସେ ସରକାରୀ ଚାକିରି କରିବା ନେଇ ଆଶା ବାନ୍ଧି ବସିଛନ୍ତି । ସରକାରୀ ଚାକିରି କରିବା ପରେ ତାଙ୍କ ଦୁଃଖ ଅନେକାଂଶରେ ଲାଘବ ହୋଇପାରିବ । ଘରର ବଡ଼ ଝିଅ ହୋଇଥିବାରୁ ସେ ପରିବାରର ସମସ୍ତ ଦାୟିତ୍ୱ ବୁଝୁଥିଲେ । ବାପାଙ୍କ ମୃତ୍ୟୁ ପରେ ପରବାର କେମିତି ଚଳାଇବେ ସେନେଇ ବହୁ ସଂଘର୍ଷ କରିଥିଲେ ଦୀପିକା ।

ଦୀପିକାଙ୍କ ବାପା କୃଷି ବିଭାଗରେ ଚାକିରି କରିଥିଲେ । ଚାକିରି ପିରିୟଡ଼ ଥିବା ସମୟରେ ତାଙ୍କ ବାପାର ଦେହାନ୍ତ ହୋଇଥିଲା । ତେଣୁ ପରେ ରିହାବିଲିଟେସନ ସ୍କିମରେ ବାପାଙ୍କ ଚାକିରି ପାଇବାକୁ ଦୀପିକା ଆବେଦନ କରିଥିଲେ । ଯଦି ବାପାଙ୍କର ସରକାରୀ ଚାକିରି ତାଙ୍କୁ ମିଳିଯାନ୍ତା ତେବେ ଦୀପିକାଙ୍କର ମୁଣ୍ଡରୁ କିଛିଟା ବୋଝ କମିଯାଆନ୍ତା । ବର୍ତ୍ତମାନ କେବେ ଚାକିରି ମିଳିବ ସେନେଇ ଦୀପିକା ଅପେକ୍ଷା କରି ରହିଛନ୍ତି । ଦୀପିକାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନକୁ ଚାଲି ଆସିଥିଲେ ଦୀନେଶ । ସେ ଦୀପିକାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ଦିନେଶଙ୍କ ପାଇଁ ଦୀପିକାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ଏବେ ଦୀନେଶଙ୍କ ରକ୍ତରୁ ଦୀପିକାଙ୍କର ଗୋଟିଏ ଛୁଆ ରହିଥିବା ବେଳେ ଦୀନେଶ ଧରୁଛୁଆଁ ଦେଉନାହାନ୍ତି । ତେଣୁ ବାପାଙ୍କ ଚାକିରି ହିଁ ଏବେ ଦୀପିକାଙ୍କର ମୁଖ୍ୟ ସାହା ଭରସା ।

Get real time updates directly on you device, subscribe now.