fbpx

ଇଣ୍ଟରନେଟ୍ ଜରିଆରେ ଡାକ୍ତର କିମ୍ବା କୌଣସି ଜରୁରୀ ସେବା ସର୍ଚ୍ଚ କରୁଛନ୍ତି କି ? ସତର୍କ ହୋଇଯାଆନ୍ତୁ ଅନ୍ୟଥା ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି

Advertisement

ନୂଆଦିଲ୍ଲୀ: ଇଣ୍ଟରନେଟ୍ କୁହନ୍ତୁ କି ୱେବ ଏହା କୌଣସି ଏକ ନେଟ୍ ବା ଜାଲ ପରି କାମ କରିଥାଏ । ଏହି ଜାଲରେ ପଡି ଆମକୁ ବହୁ ସୂଚନା ମିଳିଥାଏ ସତ କିନ୍ତୁ ବେଳେ ବେଳେ ଆମର ଅସାବଧାନତା ହେତୁ ଆମେ ଇଣ୍ଟରନେଟ୍ ସ୍କାମରଙ୍କ ହାତରେ ପଡିଯାଉ । ଆମର ସାମାନ୍ୟ ଅସାବଧାନତା ଆମକୁ କାଙ୍ଗାଳ କରିଦେଇପାରେ । କିନ୍ତୁ ଡିଜିଟାଲ୍ ଦୁନିଆରେ ବିନା ଇଣ୍ଟରନେଟ୍ ରେ ରହିବା ବି ଅସମ୍ଭବ । ଆମର ଯାହା ବି ଆବଶ୍ୟକ ପଡିଲା ଆମେ ତତକ୍ଷଣାତ୍ ତାହା ଇଣ୍ଟରନେଟରୁ ସନ୍ଧାନ କରିବାରେ ଲାଗିପଡୁ । ଆମ ମଧ୍ୟରୁ ବହୁ ଲୋକ ବ୍ୟାଙ୍କର କଷ୍ଟମର କେୟାର ନମ୍ବର ଠାରୁ ଆରମ୍ଭ କରି ଡାକ୍ତରଙ୍କ ନମ୍ବର ପର୍ଯ୍ୟନ୍ତ ସବୁ କିଛି ଇଣ୍ଟରନେଟରୁ ହିଁ ସର୍ଚ୍ଚ କରିଥାନ୍ତି ।

ତେବେ ଇଣ୍ଟରନେଟରେ ଏହି ସର୍ଚ୍ଚ କେବେ ବି ଆପଣଙ୍କୁ ସ୍କାମରଙ୍କ ଜାଲରେ ଫସାଇ ଦେଇପାରେ । ଏପରି କିଛି ଘଟିଛି ଦିଲ୍ଲୀର ଜଣେ ସରକାରୀ ଓକିଲଙ୍କ କ୍ଷେତ୍ରରେ । ତୀସ୍ ହଜାରୀ କୋର୍ଟର ଓକିଲ କେପି ସିଂହ ଡାକ୍ତରଙ୍କ ସହ ଆପଏଣ୍ଟମେଣ୍ଟ ନେବା ଲାଗି ଇଣ୍ଟରନେଟରେ ହସ୍ପିଟାଲର ନମ୍ବର ଖୋଜୁଥିଲେ । କିନ୍ତୁ ତାଙ୍କୁ ଯେଉଁ ନମ୍ବର ମିଳିଥିଲା ତାହା ହସ୍ପିଟାଲର ନୁହେଁ ବରଂ ସ୍କାମରର ଥିଲା । ସ୍କାମର ତାଙ୍କୁ ନିଜ ଜାଲରେ ଫଶାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯,୯୦୯ ଟଙ୍କା ନେଇଯାଇଛି । ତେବେ ଓକିଲଙ୍କ ଅଭିଯୋଗ ପରେ ପୋଲିସ ଏହି ମାମଲାରେ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରି ପାରିଛି । ଯାଞ୍ଚରୁ ଜଣାପଡିଛି ଅଭିଯୁକ୍ତ ଏକ ଗ୍ୟାଙ୍ଗ ଚଲାଉଥିଲା ଓ ଇଣ୍ଟରନେଟ୍ ଜରିଆରେ ଲୋକଙ୍କୁ ଠକୁଥିଲା ।

ସ୍କାମର୍ସ ସମସ୍ତ ଲୋକପ୍ରିୟ ହସ୍ପିଟାଲ କିମ୍ବା ଅନ୍ୟ ସେବା ସଂସ୍ଥାନ ଲାଗି ଏକ ଫେକ୍ ୱେବସାଇଟ୍ କ୍ରିଏଟ୍ କରିଥାନ୍ତି । କେବଳ ହସ୍ପିଟାଲ ନୁହେଁ ପ୍ୟାକର୍ସ ଆଣ୍ଡ ମୁଭର୍ସ କିମ୍ବା ଅନ୍ୟାନ୍ୟ ଜରୁରୀ ସେବା ନାମରେ ସେମାନେ ଫେକ୍ ୱେବସାଇଟ୍ ଖୋଲିଥାନ୍ତି । ଯେତେବେଳେ କୌଣସି ୟୁଜର ଏହି ସେବା ସହ ଜଡିତ ସାଇଟ୍ ସର୍ଚ୍ଚ କରିଥାଏ ସେତେବେଳେ ସେମାନେ ଏହି ଫେକ୍ ୱେବସାଇଟ୍ ହାବୁଡରେ ବି ପଡି ଯାଆନ୍ତି । ଏହାପରେ ୟୁଜର ଏଥିରେ ଦିଆଯାଇଥିିବା ନମ୍ବରରେ କଲ୍ କରିଥାନ୍ତି । ଏହିଠାରୁ ଆରମ୍ଭ ହୋଇଥାଏ ସ୍କାମର୍ସ ମାନଙ୍କର ଅସଲି ଖେଳ । ସ୍କାମର୍ସ ଭିନ୍ନ ଭିନ୍ନ ଉପାୟରେ ଲୋକମାନଙ୍କର ଆକାଉଣ୍ଟ ହ୍ୟାକ କରିବାକୁ ଚେଷ୍ଟା କରିଥାଏ । ତୀସ୍ ହଜାରୀ ଓକିଲଙ୍କ କ୍ଷେତ୍ରରେ ସ୍କାମର ଏକ ରିମୋଟ୍ ଆକ୍ସେସ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରାଇଥିଲା । ଏହି ଆପ୍ ଜରିଆରେ ସ୍କାମରଙ୍କୁ ଓକିଲଙ୍କ ଫୋନର ସବୁ ଡାଟା ମିଳି ଯାଇଥିଲା । ଏହାପରେ ସ୍କାମର ୟୁଜର ସହିତ ଏକ ମିନିମମ୍ ଆମାଉଣ୍ଟର ଛୋଟ ଟ୍ରାନଜାକସନ କରିଥାଏ । ଏହାଦ୍ୱାରା ସ୍କାମରକୁ ଆପଣଙ୍କ ବ୍ୟାଙ୍କିଂ ଡିଟେଲସ୍ ମିଳିଯାଏ । ଏହି ଡିଟେଲସକୁ ବ୍ୟବହାର କରି ସ୍କାମର ଆପଣଙ୍କ ଆକାଉଣ୍ଟ ଖାଲି କରି ଦେଇଥାଏ ।

Get real time updates directly on you device, subscribe now.