ମୁମ୍ବାଇ: ଶୁକ୍ରବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ବଡ ଝଟକା। ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ପରିବାରର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ରିକି ପଣ୍ଟିଂ ଆଜିର ମ୍ୟାଚ୍ ପୂର୍ବରୁ ନିଜକୁ ଆଇସୋଲେଟ୍ କରିଛନ୍ତି। ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ପଣ୍ଟିଂ ଏବେ ପାଞ୍ଚ ଦିନ ଆଇସୋଲେସନରେ ରହିବେ।
ଆଜି ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ମୁକାବିଲା ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ ଦଳରେ ଗତ କିଛି ଦିନରେ କରୋନାର ଅନେକ ମାମଲା ସାମ୍ନାକୁ ଆସିଛି। ଏପ୍ରିଲ ୧୫ରେ ପ୍ରଥମେ ଦଳର ଫିଜିଓ ପାଟ୍ରିକ ଫାରହାର୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପାଞ୍ଚ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପ୍ରିଲ ୧୮ରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ୍ ମାର୍ଶ, ଦଳର ଡାକ୍ତର ଅଭିଜିତ ସାଲଭି, ସୋସିଆଲ ମିଡିଆ କଣ୍ଟେଟ୍ ଦଳର ସଦସ୍ୟ ଆକାଶ ମାନେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏପ୍ରିଲ ୨୦ରେ ଦିଲ୍ଲୀର ଆଉ ଜଣେ ଖେଳାଳି ନ୍ୟୁଜିଲାଣ୍ଡର ଟିମ୍ ସେଇଫର୍ଟ କରୋନା ସଂକ୍ରମିତ ହୋଇଥିଲେ। ଏବେ ପଣ୍ଟିଂ ପରିବାରର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଶିବିରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ସାତରେ ପହଞ୍ଚିଛି। ତେବେ ପଣ୍ଟିଂଙ୍କ ଦୁଇ ଥର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ଦଳର ହିତକୁ ଦୃଷ୍ଟିରେ ରଖି ଦଳ ପ୍ରବନ୍ଧକ ଏବଂ ଡାକ୍ତରୀ ଦଳ ତାଙ୍କୁ ପାଞ୍ଚ ଦିନ ଆଇସୋଲେସନରେ ରହିବାକୁ କହିଛନ୍ତି। କାରଣ ସେ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିପାଇଁ ପଣ୍ଟିଂ ଆଜିର ମ୍ୟାଚରେ ମଇଦାନରେ ଉପସ୍ଥିତ ରହିବେ ନାହିଁ।