ରାଜଧାନୀରେ ପୁଣି ଲାଗୁ ହେବ ୱାର୍କ ଫ୍ରମ ହୋମ୍ ନିୟମ; ୮,୯,୧୦ ସେପ୍ଟେମ୍ବର ଲାଗି ଖାସ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବି ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀ ଲାଗି କେନ୍ଦ୍ର ସରକାର ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି ଯଦ୍ଦ୍ୱାରା ବିଦେଶରେ ଭାରତର ଛବି ଚମକିବ ।
ଏହି ଜି ୨୦ ସମ୍ମିଳନୀରେ ଭାଗ ନେବା ଲାଗି ୪୦ ଦେଶର ପ୍ରତିନିଧି ଦିଲ୍ଲୀ ଆସୁଛନ୍ତି । ତେଣୁ ଦିଲ୍ଲୀ କିପରି ୱାର୍ଲ୍ଡ କ୍ଲାସ ସିଟି ପରି ଦେଖାଯିବ ସେଥିପାଇଁ ସବୁ ପ୍ରସ୍ତୁତି ଜାରି ରହିଛି । ପରିଷ୍କାର ପରିଚ୍ଛନ୍ନତା ବ୍ୟତିତ ଆହୁରି ଏପରି ବହୁ କାମ କରାଯାଉଛି ଯେଉଁଥିରେ ବିଦେଶୀ ଅତିଥିଙ୍କୁ ଯେପରି କୌଣସି ଅସୁବିଧା ହେବ ନାହିଁ । ଏହାରି ମଧ୍ୟରେ ଦିଲ୍ଲୀର ବହୁ ଅଞ୍ଚଳରେ ସପିଂ ମଲ୍ ସହିତ ସ୍କୁଲ ଓ ଅନ୍ୟ ଶିକ୍ଷା ଅନୁଷ୍ଠାନ ବନ୍ଦ କରିଦିଆଯିବାକୁ ମଧ୍ୟ ଯୋଜନା କରାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମଇଦାନ ଅଞ୍ଚଳରେ ଜି୨୦ ସମ୍ମିଳନୀ ଆୟୋଜିତ ହେବ । ଏପରି ସ୍ଥିତିରେ ଶୁକ୍ରବାର ଅର୍ଥାତ ୮ ସେପ୍ଟେମ୍ବରରେ ପୁରା ଦିଲ୍ଲୀରେ ସ୍କୁଲ ଛୁଟୀ ଘୋଷଣା କରାଯିବ । ଏହାଦ୍ୱାରା ସଡକରେ ଭିଡ କମ୍ ହେବ । କାରଣ ସକାଳେ ଓ ଦ୍ୱିପ୍ରହର ସମୟରେ ଦିଲ୍ଲୀ ସଡକରେ ଶହ ଶହ ସଂଖ୍ୟାରେ ସ୍କୁଲ ବସ୍ ଦୌଡିଥାଏ । ତେଣୁ ସହଖ ଜାମ୍ ହେବାରୁ ବିଦେଶରେ ଆମର ଚିତ୍ର କାଳେ ଖରାପ ହୋଇଯିବ ଏହି କାରଣରୁ ସରକାର ସ୍କୁଲ ବନ୍ଦ କରିବାକୁ ଯୋଜନା କରିଛନ୍ତି ।

କେବଳ ଏତିକି ନୁହେଁ ଦିଲ୍ଲୀ ସରକାରଙ୍କ ପାଖରେ ୱାର୍କ ଫ୍ରମ ହୋମର ବିକଳ୍ପ ମଧ୍ୟ ରହିଛି । କୁହାଯାଉଛି ଭିଡକୁ ଏଡାଇବା ପାଇଁ କିଛି ଘରୋଇ ଅଫିସରେ ୱାର୍କ ଫ୍ରମ ନିୟମ ଲାଗୁ ହେବ । ଅନ୍ୟପକ୍ଷରେ ଶନିବାର ଓ ରବିବାର ଦିଲ୍ଲୀରେ ଘରୋଇ ସଂସ୍ଥାନଗୁଡିକର ଛୁଟୀ ରହିଥାଏ । ଅନ୍ୟପକ୍ଷରେ ଅନ୍ୟାନ୍ୟ ଅଫିସଗୁଡିକ ଲାଗି ମଧ୍ୟ ୱାର୍କ ଫ୍ରମ ହୋମ୍ ନିୟମ ଲାଗୁ କରାଯାଇପାରେ ।