fbpx

(Video) ପଡୋଶୀଙ୍କ କୁକୁର ଭୁକିବାରୁ ରାଗିଲେ ଯୁବକ: ପରିବାର ଲୋକଙ୍କୁ ରଡରେ ପିଟି କରିଦେଲେ ରକ୍ତାକ୍ତ

ନୂଆଦିଲ୍ଲୀ: କୁକୁର ଭୁକିବାରୁ ହଙ୍ଗାମା । କୁକୁର ଭୁକିବାକୁ ନେଇ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି । କୁକୁର ଭୁକିବାରୁ ସେ କୁକୁର ସହ ମାଲିକଙ୍କ ପରିବାରର ୩ଜଣଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି  । ମଣିଷ ରାଗରେ କେତେ ବର୍ବର ଆଉ ହିଂସ୍ର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଥିବା ଭିଡିଓଟି ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର,ଭିଡିଓ ରେ ନାଲି ରଙ୍ଗର ଟି-ଶର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ହାତରେ ଲୁହା ରଡ ଧରି କୁକୁର ପିଛା କରୁଛନ୍ତି । କୁକୁରଟି ଭୟରେ ତା’ ମାଲିକଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ମାଲିକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ପ୍ରଥମେ ସେ କୁକୁରର ମୁଣ୍ଡକୁ ଲୁହା ରଡରେ ଶକ୍ତ ଆଘାତ ଦେଇଥିଲେ । ରଡ ମାଡ଼ରେ କୁକୁରଟି ରାସ୍ତାରେ ପଡି ଯାଇଥିଲା । ମାଲିକ ଜଣଙ୍କ ଆକ୍ରମଣକାରୀଙ୍କୁ ଅଟକାଇବାରୁ ସେ ତାଙ୍କୁ ମଧ୍ୟ ଲୁହାରଡ଼ରେ ଆକ୍ରମଣ କରିଥିଲେ ।ଏହା ଦେଖି ଉକ୍ତ ପରିବାରର ଆଉ ଜଣେ ଯୁବକ ଓ ମହିଳା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନାଲି ଟି-ଶର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡରେ ବାଡ଼େଇଛନ୍ତି । ଏଥିରେ ମାଲିକଙ୍କ ପରିବାରର ୩ ଜଣ ଆହତ ହୋଇଥିବା ବେଳେ ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି ।

ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ସମସ୍ତେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପଶ୍ଚିମ ବିହାର ଇଷ୍ଟ ପୁଲିସ୍ କହିଛି ଯେ କୁକୁରର ମାଲିକ ରକ୍ଷଶିତାଙ୍କ ବୟାନ ଆଧାରରେ ଆଇପିସି ଓ ପଶୁଜନ୍ତୁଙ୍କ ସୁରକ୍ଷା ପାଇଁ ଉର୍ଦ୍ଦିଷ୍ଟ ଧାରାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ଖୁବଶୀଘ୍ର ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.