fbpx

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ? ରାଜଧାନୀରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ ଦିଲ୍ଲୀ। ଆତଙ୍କବାଦୀ ଆକ୍ରମଣର ଗୁଇନ୍ଦା ରିପୋର୍ଟ ମିଳିବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂତ୍ର ମୁତାବକ, ଉତ୍ତର ପ୍ରଦେଶ ପୋଲିସକୁ ଦିଲ୍ଲୀରେ ଆତଙ୍କୀ ଆକ୍ରମଣର ଇନପୁଟ୍ ମିଳିବା ପରେ ଦିଲ୍ଲୀରେ ହାଇ ସିକ୍ୟୁରିଟି ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅଧିକାରୀଙ୍କ ଅନୁସାରେ, ତଥାକଥିତ ଆତଙ୍କୀ ସଂଗଠନ ତେହରିକ ଏ ତାଲିବାନ(ଇଣ୍ଡିଆ ସେଲ) ଦ୍ଵାରା ପଠାଯାଇଥିବା ଇମେଲରେ ୟୁପି ପୋଲିସକୁ ଆକ୍ରମଣ ବିଷୟରେ ସୂଚନା ମିଳିଥିଲା। ୟୁପି ପୋଲିସ ଉକ୍ତ ଇମେଲର ସମସ୍ତ ତଥ୍ୟ ଦିଲ୍ଲୀ ପୋଲିସକୁ ପଠାଇ ଦେଇଛି। ଇନପୁଟ୍ ଆଧାରରେ ପଦକ୍ଷେପ ନେଇ ଦିଲ୍ଲୀ ପୋଲିସ ମଙ୍ଗଳବାର ନୂଆଦିଲ୍ଲୀରେ ସରୋଜିନୀ ନଗର ବଜାରରେ ସର୍ଚ୍ଚ ଅପରେସନ ଚଳାଇଛି।

ସରୋଜିନୀ ନଗର ମିନି ମାର୍କେଟ ଟ୍ରେଡର୍ସ ଆସୋସିଏସନର ଅଧ୍ୟକ୍ଷ ଅଶୋକ ରାନ୍ଧଓ୍ଵା ମଙ୍ଗଳବାର କହିଥିଲେ ଯେ, କିଛି ସୁରକ୍ଷା ବିପଦ କାରଣରୁ ବଜାର ବନ୍ଦ ରହିବ। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଆଦେଶ ମିଳିଛି। ତେବେ ଦିଲ୍ଲୀ ପୋଲିସ ବଜାର ବନ୍ଦ କରାଯିବା ନେଇ କୌଣସି ଆଦେଶ ଜାରି କରାଯାଇନଥିବା କହିଛି। ଦିଲ୍ଲୀ ପୋଲିସ କହିଛି, ଆମେ ବଜାର ବନ୍ଦ କରିବାକୁ  ଯାଇନଥିଲୁ। ସେଠାକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲୁ। ଦିଲ୍ଲୀ ପୋଲିସ ବର୍ତ୍ତମାନ ଇମେଲ ପଠାଇଥିବା ବ୍ୟକ୍ତି ବିଶେଷଙ୍କ ସନ୍ଧାନରେ ଜୁଟି ଯାଇଛି। ଏହା ବ୍ୟତୀତ ଇମେଲରେ ଦାବି କରାଯାଇଥିବା ସୂଚନାର ଯାଞ୍ଚ ମଧ୍ୟ କରାଯାଉଛି।

Get real time updates directly on you device, subscribe now.