ପ୍ଲେଅଫ ଆଡକୁ ଆଉ ଏକ ପାଦ ବଢାଇଲା ଦିଲ୍ଲୀ: ଦବଙ୍ଗ ଅନ୍ଦାଜରେ ୱାର୍ଣ୍ଣର-ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ

ମୁମ୍ବାଇ: ରାଜସ୍ଥାନ ରୋୟଲ୍ସ ଉପରେ ଭାରି ପଡିଛି ଦିଲ୍ଲୀର ୱାର୍ଣ୍ଣର-ମାର୍ଶଙ୍କ ଦମଦାର ଯୋଡି । ଉଭୟଙ୍କ ଦମଦାର ଅର୍ଦ୍ଧଶତକ ଫଳରେ ୧୬୦ ରନର ଲକ୍ଷ୍ୟକୁ ସଫଳତାର ସହ ଚେଜ କରିପାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ପ୍ଲେଅଫ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସେପଟେ ରାଜସ୍ଥାନ ପାଇଁ ବଢିଛି ବିପଦ ।

୧୬୧ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ୱାର୍ଣ୍ଣର-ଭରତ ଯୋଡିକୁ ଦ୍ୱିତୀୟ ବଲରେ ହିଁ ଭାଙ୍ଗି ଦେଇଥିଲେ ଟ୍ରେଣ୍ଟ ବୋଲ୍ଟ । କିନ୍ତୁ ଏହାପରେ ଦିଲ୍ଲୀ ତିଆରି କରିଥିଲା ଏକ ଅତୁଟ ଯୋଡି । ଯାହାକୁ ଭରାଭ୍ଗିବାରେ ଶେଷ ପର୍ଯ୍ୟନ୍ତ ଫେଲ ମାରିଥିଲେ ରାଜସ୍ଥାନର ସମସ୍ତ ବୋଲର । ପଡିଆରେ ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ଦିଗରେ ଆଗେଇ ନେଇ ଚାଲିଲେ ମିଚେଲ ମାର୍ଶ ଏବଂ ଡାଭିଡ ୱାର୍ଣ୍ଣରଙ୍କ ଯୋଡି । ତେବେ ୧୮ତମ ଓଭରରେ ମିଚେଲ ମାର୍ଶ ଆଉଟ ହୋଇଥିଲେ ସତ । କିନ୍ତୁ ସେତେବେଳକୁ ଦିଲ୍ଲୀ ପାଇଁ ବିଜୟ ଖୁବ ସହଜ କରି ଯାଇଥିଲେ । ମାତ୍ର ୬୨ ବଲରେ ୮୯ ରନର ଦମଦାର ପାଳି ଖେଳିଥିଲେ ମିଚେଲ ମାର୍ଶ । ତାଙ୍କର ଏହି ପାଳିରେ ୭ ଛକା ଏବଂ ୫ ଚୌକା ସାମିଲ ରହିଛି । ଅନ୍ୟ ପକ୍ଷରେ ତାଙ୍କୁ ଭରପୂର ସାଥ ଦେବା ସହ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଛନ୍ତି ଡାଭିଡ ୱାର୍ଣ୍ଣର । ୪୧ ବଲରେ ଗୋଟିଏ ଛକା ଏବଂ ୫ଟି ଚୌକା ସହ ୫୨ ରନ କରିଛନ୍ତି । ତେବେ ଶେଷରେ ଅଧିନାୟକ ରିଷଭ ପନ୍ତଙ୍କ ବ୍ୟାଟରୁ ଦୁଇଟି ସୁନ୍ଦର ଛକା ଦେଖିବାକୁ ମିଳିଥିଲା । ଏହି ଦୁଇ ଛକା ସହ ପନ୍ତ ୪ଟି ବଲରେ ୧୩ ରନ ସଂଗ୍ରହ କରି ନେଇଛନ୍ତି । ଫଳରେ ଏହି ମ୍ୟାଚକୁ ୨ ଓଭର ବାକି ଥାଇ ବିଜୟ ହାସଲ କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ତେବେ ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ଚହଲ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ସେପଟେ ଏହି ବିଜୟ ସହ ଦିଲ୍ଲୀ ପ୍ଲେଅଫର ଆଉ ଏକ ପାଦ ଅତିକ୍ରମ କରିଛି । ଅନ୍ୟ ପକ୍ଷରେ ରାଜସ୍ଥାନର ବାରମ୍ବାର ପରାଜୟ ପ୍ଲେଅଫରୁ ଦଳକୁ ଧିରେ ଧିରେ ଦୂରେଇ ନେଉଛି ।

Get real time updates directly on you device, subscribe now.