fbpx
BSKY SKY
BSKY SKY

ଦୁର୍ବଳ ହେଲା ଅସାନୀ, କିଛି ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ ବାତ୍ୟା: ସମୁଦ୍ର ଅସାନ୍ତ ରହିବ, କିଛି ଜିଲ୍ଲାରେ ବର୍ଷିବ

BSKY

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶରେ ବାତ୍ୟା ଅସାନୀର ପ୍ରଭାବ ବେଶ୍‌ ଅନୁଭୂତ ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଅସାନ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଛି । ବୁଧବାର ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଇଛି ।  ଏହା କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଏହା ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାଟିନାଡା, ୟାନମ ଓ ଟୁନି ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହା ରାତିରେ ପୁଣି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବା ପରେ ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଏହାର କିଛି ଘଣ୍ଟା ପରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତ ଓ ଗୁରୁବାର ସକାଳ ସୁଦ୍ଧା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଅସାନୀ ପ୍ରଭାବରେ ଆନ୍ଧ୍ର ଉପକୂଳର ମଛଲୀପଟ୍ଟନମ୍‌ ଠାରୁ ଟୁନି ମଧ୍ୟରେ ସମୁଦ୍ରରେ ପବନର ବେଗ ୭୦ରୁ ୮୦ କି.ମି. ରହିଛି । ଗୁରୁବାର ସକାଳେ ପବନର ବେଗ ହ୍ରାସ ପାଇ ୪୫ରୁ ୫୫ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଅସାନୀ ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ବିଶାଖାପାଟଣାରେ ତୁହାକୁ ତୁହା ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ କ୍ରୀଷ୍ଣା ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି । ଫଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି । ସେହିପରି ମାନ୍ୟମ୍‌ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରୁ ଉଚ୍ଚ ଜୁଆର ଆସିବା ଫଳରେ ତଟ ନିକଟ ରାସ୍ତାର କ୍ଷୟକ୍ଷତି ଘଟିଛି । ସେହିପରି ଆନ୍ଧ୍ର ପ୍ରଦେଶ ଗୋଦାବରୀରେ ମଧ୍ୟ ପ୍ରବଳ ବର୍ଷାପବନ ଲାଗି ରହିଛି । ଅସାନୀ ଏବେ ଗୋପାଳପୁର ଠାରୁ ଦକ୍ଷିଣ- ପଶ୍ଚିମରେ ୫୨୦ କି.ମି. ଦୂର ଓ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମରେ ୬୩୦ କି.ମି. ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୬ କି.ମି.ବେଗରେ ଗତି କରୁଛି ।

Get real time updates directly on you device, subscribe now.