fbpx

‘ପଦ୍ମଶ୍ରୀ ଫେରାନ୍ତୁ କଙ୍ଗନା ରଣାୱତ’: ଭାରତର ସ୍ୱାଧୀନତାକୁ ଭିକ ସହ ତୁଳନା କରିବା ପରେ ବିଭିନ୍ନ ମହଲରୁ ଉଠିଲା ଦାବି

ନୂଆଦିଲ୍ଲୀ: ୧୯୪୭ ମସିହାର ସ୍ୱାଧୀନତାକୁ ଭିକ ବା ଦାନ ସହ ତୁଳନା କରି ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଏହାକୁ ନେଇ ବିଭିନ୍ନ ଦଳର ରାଜନେତାମାନେ କଙ୍ଗନାଙ୍କର ପଦ୍ମଶ୍ରୀ ପୁରସ୍କାର ଫେରସ୍ତ ନେଇ ଦାବି ଉଠାଇଛନ୍ତି । ଅଭିନେତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଚକିତ ଅପମାନଜନକ କହିବା ସହ ତାଙ୍କଠାରୁ ପଦ୍ମଶ୍ରୀ ଫେରସ୍ତ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି । କଙ୍ଗନାଙ୍କ ମନ୍ତବ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ମଙ୍ଗଳ ପାଣ୍ଡେ, ଲକ୍ଷ୍ମୀବାଇ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦଙ୍କ ବଳିଦାନ ପ୍ରତି ଅପମାନ । ଦେଶର ବୀରମାନଙ୍କୁ ଅପମାନ କରୁଥିବା ଏଭଳି ଚରିତ୍ରମାନଙ୍କୁ ପୁରସ୍କାର ଦେବା ପୂର୍ବରୁ ସେମାନଙ୍କର ମାନସିକ ସ୍ଥିତିର ମୂଲ୍ୟାୟନ କରିବା ଦରକାର ବୋଲି ଶ୍ରୀ ଶର୍ମା ଟ୍ୱିଟ୍ କରିଛନ୍ତି ।

ସେହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିନ୍ଦର ସିଂହ ହୁଦା କହିଛନ୍ତି ଯେ, ଏଭଳି ଟିପ୍ପଣୀ ନିନ୍ଦୀନୀୟ । କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ଫେରସ୍ତ ନେଇ ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରିଛନ୍ତି ବିହାରର ଏନଡିଏର ସହଯୋଗୀ ଦଳ ଏଚଏଏମର ସଭାପତି ଜିତନ ରାମ ମାଞ୍ଝି । ଅନୁରୂପ ଭାବେ ଅଭିନେତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବା ଦରକାର ବୋଲି ଦାବି କରିଛନ୍ତି ଶିବସେନା ନେତା ନୀଲମ ଗୋରହେ । କଙ୍ଗନାଙ୍କ ବିରୋଧରେ ଆମ ଆଦମୀ ପାର୍ଟି ପକ୍ଷରୁ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ ଦାଖଲ କରାଯାଇଛି । ଅନେକ ବିଜେପି ନେତା ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ବିଜେପି ନେତା ବରୁଣ ଗାନ୍ଧି । ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯେ, ସବରକର, ନେତାଜୀଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତାର ଯେଉଁ ମୂଲ୍ୟ ଦେଇଥିଲେ ତାହା ସ୍ୱାଧୀନତା ନଥିଲା, ତାହା ଥିଲା ଭିକ । ୨୦୧୪ ମସିହାରେ ଦେଶକୁ ସ୍ୱାଧୀନତା ମିଳିଥିଲା । ଏହି ମନ୍ତ୍ୟବକୁ ନେଇ ସୋସିଆଲ ମିଡ଼ିଆ ସହ ବିଭିନ୍ନ ମହଲରୁ ତାଙ୍କୁ ଘୋର ନିନ୍ଦା କରାଯାଉଥିବାର ଦେଖାଯାଉଛି ।

Get real time updates directly on you device, subscribe now.