ଭୁବନେଶ୍ୱର: ବର୍ଷ ଶେଷ ସୋମବାରରେ ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ४/୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରାୟତଃ ପାଗ ସୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ସହିତ କେନ୍ଦୁଝର, ମୟୂରଭଞ୍ଜର କିଛି ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିବ। କିନ୍ତୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ। ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାକୁ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ।
ସେହିପରି ନୂଆ ବର୍ଷ ପରେ ଶୀତର ମାତ୍ରା ବଢିବ। ସୋମବାର ପାଇଁ ସୁନ୍ଦରଗଡ଼ ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳରେ ଘନକୁହୁଡ଼ିକୁ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକୁ ପୀତ ସତର୍କତା ଜାରି କରାଯାଇଛି। ପୂର୍ବ ଦିନ ତୁଳନାରେ ଏହି ସବୁ ଜିଲ୍ଲାରେ ତାପମାତ୍ରା ମଧ୍ୟ ଅଧିକ ରହିଥିଲା। ୧୪ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।
ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ପଶ୍ଚିମାଝଡ଼ ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହେବାର ପ୍ରାୟତଃ ସମ୍ଭାବନା ନାହିଁ। ପଶ୍ଚିମା ଝଡ଼ ପରେ ନୂଆ ବର୍ଷରୁ ଶୀତର ମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି
ସେହିପରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ବିଶେଷ କରି ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ତାପମାତ୍ରା ସବୁଠାରୁ କମ ରହିବ। ଏପରିକି ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ। ତେବେ ଆଗକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି।