fbpx

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି କୌଣସି ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ସରକାରୀ ସ୍ତରରେ DEOଙ୍କୁ ନିଯୁକ୍ତି ଦିଆଯିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ଏଣିକି କୌଣସି ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର କିମ୍ବା ସରକାରୀ ସ୍ତରରେ ଡିଇଓ ନିଯୁକ୍ତି ପାଇବେ ନାହିଁ । ସରକାରୀ କିମ୍ବା ଆଉଟସୋର୍ସିଂ ସଂସ୍ଥା ଜରିଆରେ ମଧ୍ୟ ନିଯୁକ୍ତି ଦିଆଯିବ ନାହିଁ । ସରକାରୀ କାର୍ଯ୍ୟାଳୟରେ ଡିଇଓ ନିଯୁକ୍ତି ନ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ବୈଠକରୁ ଜଣାପଡ଼ିଛି, ପୂର୍ବରୁ ଡିଇଓ ନିଯୁକ୍ତିରେ ବ୍ୟତିକ୍ରମ ହୋଇଛି । ଅନେକ କ୍ଷେତ୍ରରେ ଡିଇଓଙ୍କର ଯୋଗ୍ୟତା ପ୍ରମାଣପତ୍ର, ଠିକଣା ଠିକ୍ ଭାବେ ଯାଞ୍ଚ କରାନଯାଇ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ନିଯୁକ୍ତିକୁ ଏବେ ୬ ବର୍ଷ ପୂରି ଯାଇଥିବାରୁ ସେମାନେ ଏବେ ନିୟମିତ ପାଇଁ ଦାବି କରୁଛନ୍ତି । ଏହାଫଳରେ ଅଯଥାରେ ସରକାରଙ୍କ ଚାପ ବଢ଼ିବା ସହ ଅଦାଲତରେ ମାମଲା ବଢ଼ିବାରେ ଲାଗିଛି ।

ତେବେ ଏଭଳି ସମସ୍ୟାକୁ ନେଇ ଆଗାମୀ ଦିନରେ ସରକାର ଯେପରି ଅଡ଼ୁଆରେ ନ ପଡ଼ନ୍ତି, ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯିବ । ଯଦି ପ୍ରମାଣପତ୍ରରେ ତ୍ରୁଟି ଥିବ, ତେବେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଉପରେ ଜରିମାନା ଲାଗୁ ହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ଏଣିକି ଡିଇଓମାନେ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗଙ୍କ ନିୟମ-୨୦୦୮ ଅନୁଯାୟୀ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.