ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ଆକ୍ସନ, ୬ ଶିକ୍ଷକଙ୍କୁ ନିଲମ୍ବିତ କଲେ ଉପଜିଲ୍ଲାପାଳ

କଣ୍ଟାବାଞ୍ଜି: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି। ପରୀକ୍ଷାରେ ନିୟୋଜିତ ୪ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି ।

ସୂଚନା ଅନୁସାରେ ପରିଚାଳନା ପାଇଁ ନିୟୋଜିତ ଯମୁନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷଯିତ୍ରୀ ଅଙ୍କିତା ପଧାନ, ହଦହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମନୋଜ କୁମ୍ଭାର, ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କପିଳେଶ୍ବର ବେହେରା, ଯୁଗିରତା ପିୟୁପିଏସ୍ ଶିକ୍ଷକ ସୋମନାଥ ଧଳଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିଆରୀଙ୍କୁ ନିର୍ଦେଶ ଦେଇଛନ୍ତି।

ତେବେ , ମଙ୍ଗଳବାର ମାଟ୍ରିକ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ଼ ଉପଜିଲାପାଳ ରେହନ୍ କ୍ଷେତ୍ରୀ ହଳଦୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲ୍ଲାରଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦାପ ନାଗ ହଳଦୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶ୍ରୀ ବିଶ୍ବାଳ ଓ ସ‌ହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। ପରୀକ୍ଷାରେ ନିୟୋଜିତ ୪ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି ।