CHARIDHAM

ଆଜି ପବିତ୍ର ବଡ଼ ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେବ ଗଜଭୋଗ

ଆଠଗଡ଼ (ଭାସ୍କର ନ୍ୟୁଜ୍) : ଆଜି ପବିତ୍ର ବଡ଼ ଓଷା। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥରେ ବଡ଼ ଓଷା ପର୍ବ ପାଳନ କରାଯାଇଥାଏ। ଏଥିସହିତ ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେଉଛି । ମାତ୍ର କଟକଣା ଯୋଗୁଁ କେବଳ ପୂଜକମାନଙ୍କୁ ନେଇ ବଡଓଷା ନୀତି ଓ ବାବାଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦେବୋତ୍ତର ବିଭାଗ ଓ ପୂଜକ ସମିତି ମିଳିତ ଆନୁକୂଲ୍ୟରେ ନୀତି ନିର୍ଘଣ୍ଟ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି  କରାଯାଇଛି। ଫଳରେ ଭକ୍ତ ମାନେ ବାବଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ।

ମାନ୍ୟତା ରହିଛି ଓଡ଼ିଶାବାସୀ ପାଳନ କରୁଥିବା ସମସ୍ତ ଓଷା ମଧ୍ୟରେ ‘ବଡ଼ ଓଷା’ ମୁଖ୍ୟ । ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ । ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମହାଦେବଙ୍କଠାରେ ଏ ଅବସରରେ ପ୍ରବଳ ଭକ୍ତସମାଗମ ହୋଇଥାଏ । ଓଡ଼ିଶାର ସମସ୍ତ ଶିବ ମନ୍ଦିରରେ ଏହି ପର୍ବ ପରମ୍ପରା ଓ ବିଧିବିଧାନର ସହ ପାଳନ କରାଯାଏ । ବଡ଼ ଓଷାରେ ମହାଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାର ପ୍ରସାଦ ଲାଗି ହୁଏ । ଏହାକୁ ‘ଗଜ ପିଠା’ କୁହାଯାଏ । ଏହା ଦେଖିବାକୁ ଧଳା ବା ଧବଳ । ପ୍ରଭୁ ଧବଳେଶ୍ୱରଙ୍କ ନାମ ସହିତ ଏହା ଖାପ ଖାଇଥାଏ । ଅରୁଆ ଚାଉଳ ଚୂନାରେ ପ୍ରସ୍ତୁତ ଖଳି ଓ ନଡ଼ିଆ, ଗୁଡ଼, ଗୁଜୁରାତି ଇତ୍ୟାଦିକୁ ନେଇ ପ୍ରସ୍ତୁତ ପୁର ଦ୍ୱାରା ଏହି ପିଠା ପ୍ରସ୍ତୁତ କରାଯାଏ । ମହାଦେବଙ୍କ ପାଖରେ ଏହି ଗଜ ପିଠା ପୂଜା ହେବା ପରେ ଭକ୍ତମାନେ ସେବନ କରିଥାନ୍ତି । ପଦ୍ମ ପୁରାଣ ଅନୁସାରେ, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଇନ୍ଦ୍ର ଧବଳେଶ୍ୱର ମହାଦେବଙ୍କ ପୀଠ ନିକଟରେ ମହାନଦୀରେ ପବିତ୍ର ବୁଡ଼ ପକାଇଥିଲେ । ଏହା ଫଳରେ ତାଙ୍କର ବ୍ରହ୍ମଅଭିଶାପ କ୍ଷୟ ହୋଇଥିଲା ।