fbpx

ଧାମନଗର ଉପନିର୍ବାଚନ: ସକାଳ ୭ଟାରୁ ମତଦାନ ଆରମ୍ଭ, ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର/ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସନ୍ଧ୍ୟା ୭ଟା ଯାଏଁ ଚାଲିବ । ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି ।

ମୋଟ୍ ୨୫୨ଟି ବୁଥରେ ମତଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥିମଧ୍ୟରେ ରହିଥିବା ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ୍ ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ୧୨୬ଟି ବୁଥରେ ୱେବକାଷ୍ଟିଂ ପାଇଁ ସ୍ଥିର କରାଯାଇଛି । ୨୫ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଛି । ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ପାଇଁ ପୋଲିସ ପକ୍ଷରୁ ୪ କମ୍ପାନୀ ସିଆର୍ପିଏଫ୍, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ରାଜ୍ୟ ଆର୍ମଡ ଫୋର୍ସ ନିୟୋଜିତ ଅଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଖୋଲାଯାଇଛି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ସେମାନଙ୍କ ସହ ୩୦୯ଜଣ ପୋଲିସ କର୍ମଚାରୀଙ୍କୁ ସାମିଲ କରାଯାଇଛି । ୧୦୦ ସବଇନ୍ସପେକ୍ଟର , ଇନିସପେକ୍ଟର, ୩ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକସ୍ତରର ଅଧିକାରୀ, ୬ ଡିଏସପି ଓ ୨୨ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯାଇଛି । ଭୋଟ୍ ସମୟରେ ଯେପରି କୌଣସି ଅନିୟମିତତା ନ ହୁଏ ସେଥିପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ।

ମତଦାତାମାନେ ଭୋଟର ପରିଚୟପତ୍ର ଛଡ଼ା ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି । ସାଇଲେନ୍ସ ପିରିୟଡ ଠାରୁ ନେଇ ମତଦାନ ପର୍ଯ୍ୟନ୍ତ ମଦ ବିକ୍ରି ଉପରେ ବାରଣ କରାଯାଇଛି । ବୁଥ୍ ବାହାରେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ମାସ୍କ ପିନ୍ଧି ଆସିବାକୁ ଭୋଟରମାନଙ୍କୁ ନିବେଦନ କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ୯୮ଟି ଅଟୋରିକ୍ସାର ବ୍ୟବସ୍ଥା କରାଯାଇଛି । ମତଦାନ ଦିବସକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି । ସବୁ ବୁଥ୍ରେ ହେଲ୍ପ ଡେସ୍କ ରଖାଯିବାର ବ୍ୟବସ୍ଥା କରାଯାଇଛି । ଇଭିଏମ୍ରେ କୌଣସି ତ୍ରୁଟି ଦେଖାଦେଲେ ଧୈର୍ଯ୍ୟ ରଖି ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଶ୍ରୀ ଲୋହାନୀ ଆହୁରି କହିଥିଲେ ଯେ, ଉଲ୍ଲଂଘନ ନେଇ ୫ଟି ମାମଲା ରୁଜୁ କରାଯାଇଛି । ତେବେ ଗୋଟିଏ ମାମଲାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ନିର୍ବାଚନ ଆୟୋଗଙ୍କୁ ପଠାଯାଇଛି ବୋଲି ଶ୍ରୀ ଲୋହାନୀ କହିଥିଲେ ।

Get real time updates directly on you device, subscribe now.