fbpx
BSKY
BJD SHG SKY
BJD YOUTH SKY

ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର? ଆସୁଛନ୍ତି ଶାହ, ଦେବେ ଗୁରୁମନ୍ତ୍ର, ଓଡ଼ିଶାକୁ ନେଇ କ’ଣ ରହିଛି BJPର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରମୁଖ ଦଳମାନେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତି ନେଇ ଅଣ୍ଟା ଭିଡ଼ିଲେଣି । କ୍ରମାଗତ ତୃତୀୟ ଥର ନୂଆଦିଲ୍ଲୀ ଦଖଲ କରି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ବିଜେପି । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଇଥିଲା । ଫଳସ୍ୱରୂପ ଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ପୂର୍ବାପେକ୍ଷା ଅଧିକ ସିଟ୍ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା ।

ତେବେ କେନ୍ଦ୍ର ଓ ରାଜ୍ୟ ବିଜେପିର ଆଗଧାଡ଼ିର ନେତା ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଆସନ୍ତା ନିର୍ବାଚନରେ ଧର୍ମେନ୍ଦ୍ର ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢ଼ିବା ନେଇ ବିଜେପି ପ୍ରି-ପ୍ଲାନ୍ କରୁଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ଢେଙ୍କାନାଳ ଓ ଅନୁଗୁଳକୁ ପ୍ରଧାନ ବାରମ୍ବାର ଗସ୍ତ କରୁଥିବା ବେଳେ ଆସନ୍ତା ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି । ତେଣୁ ପ୍ରଧାନଙ୍କ ପ୍ରାର୍ଥୀତ୍ୱ ନେଇ ଏବେ ବହୁ ଛାମୁଆ ନେତାମାନେ ମଧ୍ୟ ଯୁକ୍ତି ବାଢ଼ୁଛନ୍ତି ।

ଧର୍ମେନ୍ଦ୍ରଙ୍କ ଘର ଅନୁଗୁଳ ହୋଇଥିବା ବେଳେ ସେ ପୂର୍ବରୁ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ସେ ପାଲଲହଡ଼ାରୁ ବିଧାୟକ ଭାବେ ଓ ୨୦୦୯ରେ ଦେବଗଡ଼ରୁ ସାଂସଦ ଭାବେ ଜିତିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ଦବଦବା ବଢ଼ିବାରେ ଲାଗିଥିଲା ଓ ସେ ଏକାଧିକ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ପାଇଥିଲେ । ଏଥିସହିତ ବିଭିନ୍ନ ରାଜ୍ୟରେ ପ୍ରଭାରୀ ଦାୟିତ୍ୱରେ ରହି ଦଳକୁ ସଫଳତା ଦେଇଥିଲେ ।

ତେବେ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ଅନ୍ୟତମ ଚେହେରା ହୋଇଥିବା ବେଳେ ତାଙ୍କୁ ନେଇ କେନ୍ଦ୍ରୀୟ ନେତୃତ୍ୱ କିଛି ବଡ଼ ଯୋଜନା କରୁଥାଇ ପାରନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉ ବା ପୂର୍ବ ଭାରତରେ ବିଜେପିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ହେଉ ଏପରି ଏକାଧିକ ବଡ଼ ଯୋଜନା ଦଳ କରିଥାଇପାରେ । ତେବେ ଧର୍ମେନ୍ଦ୍ର ଢେଙ୍କାନାଳରୁ ପ୍ରାର୍ଥୀ ହେଲେ ସଫଳତା ପାଇବେ ନାହିଁ ବୋଲି ବିଜେଡି ପ୍ରତିକ୍ରିୟା ରଖିଥିବା ବେଳେ ପ୍ରଧାନଙ୍କର ଉତଥାନରେ ବିଜେଡିର କୌଣସି ଭୂମିକା ନଥିବା ବିଜେପି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.