fbpx

ରାଉରକେଲାରେ ବଢ଼ିବାରେ ଲାଗିଛି ଡାଇରିଆ: ନେଲାଣି ୯ ଜଣଙ୍କ ଜୀବନ, ଶତାଧିକ ଚିକିତ୍ସାଧୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇସ୍ପାତ ନଗରୀ ରାଉରକେଲାରେ ଡାଇରିଆ ବଢ଼ିବାରେ ଲାଗିଛି । ବେଳକୁ ବେଳ ଏହି ରୋଗ ବଢ଼ିବାରେ ଲାଗିଥିବା ବେଳେ ଏଥିରେ ୯ ଜଣଙ୍କ ଜୀବନ ଗଲାଣି । ତେବେ ସହରରେ ଡାଇରିଆ ରୋଗ ବ୍ୟାପିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ରୋଗୀଙ୍କର ଲମ୍ବା ଲାଇନ୍ ଲାଗିଛି ।

ତେବେ ଏହା ମଧ୍ୟରେ ଡାଇରିଆ ରୋଗୀଙ୍କର ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ଜିଲ୍ଲାର ସରକାରୀ ଓ ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି । ଦିନକୁ ଦିନ ଏହି ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର କାରଣରୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଜଳରେ କ୍ଲୋରିନର ମାତ୍ରା କମ୍ ରହିଥିବାରୁ ଏହା ହିଁ ଡାଇରିଆର ମୁଖ୍ୟ କାରଣ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଥିବା ବେଳେ ଟ୍ୟାଙ୍କ ସଫା କରିବାକୁ, ନାଳ ବିଶୋଧନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରାଯିବ । ଏଥିସହିତ ୧୨ଟି ସ୍ୱାସ୍ଥ୍ୟ ଟମ୍ ଗଠନ କରାଯିବା ସହିତ ପ୍ରତ୍ୟେକ ଟିମ୍ ବସ୍ତି ଓ କଲୋନୀ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଓ ଔଷଧ ବଣ୍ଟନ କରୁଛନ୍ତି । ଆବଶ୍ୟକ ପଡ଼ିଲେ ସଂକ୍ରମିତଙ୍କୁ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ଖାଦ୍ୟ କିମ୍ବା ପାଣିରୁ ରୋଗ ବ୍ୟାପୁଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

Get real time updates directly on you device, subscribe now.