fbpx

ଚିନ୍ମୟୀ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍: ଜବତ ହେଲା ଡାଏରୀ ଓ ଲାପଟପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୩ ଦିନି ବିତିଯାଇଥିବା ବେଳେ ଘଟଣାଟି ଏବେ ବି ରହସ୍ୟ ଘେରରେ ରହିଛି । ପ୍ରଥମେ ଚିନ୍ମୟୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ପରେ ପରିବାର ସଦସ୍ୟ ଆଣିଥିଲେ ବଡ଼ ଅଭିଯୋଗ । ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇସାରିଛି । ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଲାଇଡିଟେକ୍ସନ ଟେଷ୍ଟ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ଅନ୍ୟ ଜଣେ ଯୁବକ ମାନସ ଟୁଡୁ । ଅନ୍ୟପକ୍ଷରେ ଚିନ୍ମୟୀ ଡେଇଁଥିବା ବ୍ରିଜ ନିକଟକୁ ଯାଇ ସାଇଣ୍ଟିଫିକ୍ ଟିମ୍ ପୁଣି ଥରେ ତନାଘନା କରିଛି । ବ୍ରିଜରୁ ପାଣିର ଦୂରତ୍ୱ ମାପିବା ସହିତ ଜଳପ୍ରବାହ ସହ ଅନ୍ୟ ଦିଗକୁ ଅନୁଧ୍ୟାନ କରିଛି ।

ତେବେ ଏହି ମାମଲାରେ ଗଠନ ହୋଇଥିବା ୩ଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ଆଜି ଚିନ୍ମୟୀଙ୍କ ଭୁବନେଶ୍ୱରସ୍ଥିତ ବିଜେବି ନଗରର ଭଡ଼ାଘରକୁ ଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ଚିନ୍ମୟୀଙ୍କ ଘରେ ଏକ ଘଣ୍ଟାଧରି ତନାଘନା କରିବା ପରେ ତଦନ୍ତକାରୀ ଟିମ୍ ଏକ ଲାପଟପ୍ ଓ ଡାଏରୀ ଜବତ କରିଛି । ଜବତ ଡାଏରୀର ହସ୍ତାକ୍ଷର ଚିନ୍ମୟୀଙ୍କର କି ନା ତାହା ଜାଣିବା ପାଇଁ ଏକ୍ସପର୍ଟଙ୍କ ସହାୟତା ନିଆଯିବ । ଏହି ଡାଏରୀରୁ ମୃତ୍ୟୁ ରହସ୍ୟ ଖୋଲିପାରେ ବୋଲି ଆଶା କରାଯାଉଛି । ତେବେ ପୋଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ମାମଲା ବିଧାନସଭାରେ ଉଠିବ ବୋଲି ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ।

Get real time updates directly on you device, subscribe now.