UPI Payment ଓ Digital Rupee ମଧ୍ୟରେ ଫରକ କ’ଣ: ଏହାକୁ ଲଞ୍ଚ କରିବାର ଉଦ୍ଦେଶ୍ୟ ଓ ଫାଇଦା କ’ଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଲଞ୍ଚ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବା ସ୍ୱାଭାବିକ । ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ରହିଥିବା ବେଳେ ପୁଣି ଡିଜିଟାଲ ରୁପି ଲଞ୍ଚ କରିବାର ତାତ୍ପର୍ଯ୍ୟ କ’ଣ? ଏହା ୟୁପିଆଇଠାରୁ କେତେ ମାତ୍ରାରେ ଭିନ୍ନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଡିଜିଟାଲ ରୁପିର ପାଇଲଟ ପ୍ରୋଜେକ୍ଟ ଲଞ୍ଚ ହେବ । ଏହି ଅବସରରେ ଡିଜିଟାଲ ରୁପିର ବିତରଣ, ବ୍ୟବହାର ଓ ଏହାର ପ୍ରସ୍ତୁତିର ପ୍ରୋସେସ ଉପରେ ଭଲ ଭାବେ ପରୀକ୍ଷଣ କରାଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ନାମ ଦେଇଛି । ତେବେ ଏଠାରେ କହିବା କଥା ହେଲା, ପୂର୍ବରୁ ଆମେମାନେ ପେଟିଏମ, ଗୁଗଲ-ପେ ଓ ଫୋନ-ପେ ବ୍ୟବହାର କରୁଥିଲେ, ଏବେ ପୁଣି ଡିଜିଟାଲ ରୁପି କ’ଣ ଆବଶ୍ୟକତା ରହିଛି? ଆଜିକାଲି ପ୍ରତ୍ୟେକ ଦୋକାନରେ ବିଭିନ୍ନ ପ୍ରକାରର ଇ-ୱାଲେଟ ଠାରୁ ଆରମ୍ଭ କରି ୟୁପିଆଇର ବ୍ୟବହାର କରି ପେମେଣ୍ଟ କରାଯାଉଛି । ମାତ୍ର ଏଗୁଡ଼ିକୁ ଡିଜିଟାଲ କରେନ୍ସି କୁହାଯାଇପାରିବ ନାହିଁ ।

ୟୁପିଆଇ ଜରିଆରେ ଟ୍ରାନ୍ସଫର ହେଉଥିବା ଅର୍ଥ ଫିଜିକାଲ କରେନ୍ସି ଜରିଆରେ ଚାଲିଥାଏ । ଅର୍ଥାତ ଏହି ଫିଜିକାଲ କରେନ୍ସିର ସମକକ୍ଷ ଭାବେ ୟୁପିଆଇ ପେମେଣ୍ଟ ପାଇଁ ମୁଦ୍ରାର ବ୍ୟବହାର କରାଯାଇଥାଏ । ଆରବିଆଇ ଦ୍ୱାରା ଜାରି ଇ-ରୁପି ଏକ ଡିଜିଟାଲ ଟୋକନ ପରି କାର୍ଯ୍ୟ କରିବ । ଅନ୍ୟ ଶବ୍ଦରେ କହିଲେ ସିବିଡିସି ଆରବିଆଇ ପକ୍ଷରୁ ଜାରି ହୋଇଥିବା କରେନ୍ସି ନୋଟର ଡିଜିଟାଲ ପ୍ରତିରୂପ ।

ବାସ୍ତବରେ, ୟୁପିଆଇ ପେମେଣ୍ଟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଟୁ ବ୍ୟାଙ୍କ ଆକାଉଣ୍ଟ ହୋଇଥାଏ । ପାଇଲଟ ପ୍ରୋଜେକ୍ଟରେ ସାମିଲ ହେବାକୁ ଥିବା ବ୍ୟାଙ୍କଗୁଡ଼ିକର ଡିଜିଟାଲ ୱାଲେଟ ମାଧ୍ୟମରେ ଡିଜିଟାଲ ରୁପିକୁ ବ୍ୟବହାର କରାଯାଇ ପାରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ୟୁପିଆଇକୁ ଅଲଗା ଅଲଗା ବ୍ୟାଙ୍କ ହ୍ୟାଣ୍ଡେଲ କରିଥାନ୍ତି ଓ ଏହି ବ୍ୟାଙ୍କଗୁଡ଼ିକ ଆରବିଆଇର ଇସାରାରେ କାମ କରିଥାନ୍ତି । ମାତ୍ର ଇ-ରୁପି ସିଧାସଳଖ ଆରବିଆଇ ଦ୍ୱାରା ଅପରେଟ୍ ଓ ମନିଟର ହେବ । ଅନ୍ୟ ବ୍ୟାଙ୍କମାନେ ଏହାର ଡିଷ୍ଟ୍ରିବ୍ୟୁସନରେ ସାମିଲ ହେବେ । ଅଥାତ୍ ରିମୋଟ୍ ଆରବିଆଇ ହାତରେ ରହିବ ।

ଇ-ରୁପିର ନେଣଦେଣ ପର୍ସନ ଟୁ ପର୍ସନ (ପି୨ପି) ଓ ପର୍ସନ ଟୁ ମର୍ଚାଣ୍ଟ (ପି୨ଏମ) ଭାବେ କରାଯାଇ ପାରିବ । ଏଥିସହିତ ଯଦି କୌଣସି ମର୍ଚାଣ୍ଟ ଆପଣଙ୍କୁ ପେମେଣ୍ଟ କରିବାକୁ ଚାହିଁବ, ତେବେ ତାଙ୍କ ପାଖରେ ଥିବା କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କରିପାରିବ । ସିଧାଭାବେ କହିଲେ ଦେଶର ନିଜର ଡିଜିଟାଲ ରୁପି ଆରମ୍ଭ ହେବ । କାରଣ ଆମର ଅନଲାଇନ ପେମେଣ୍ଟ ଫିଜିକାଲ କରେନ୍ସିରେ ହିଁ ଚାଲିଥାଏ ।

ବିଶେଷଜ୍ଞଙ୍କ ମତରେ, ଡିଜିଟାଲ ରୁପିର ମୁକାବିଲା ମୋବାଇଲ ପେଟିଏମ ଓ ଗୁଗଲ-ପେ ପରି ମୋବାଇଲ ୱାଲେଟ ସହିତ ହେବ ନାହିଁ । ଡିଜିଟାଲ ରୁପି ପେମେଣ୍ଟର ଏକ ନୂଆ ତରିକା । ଏହା ମାଧ୍ୟମରେ ଆପଣ ବ୍ୟାଙ୍କରୁ ଥରୁଟିଏ ଡିଜିଟାଲ ରୁପି କିଣିବାକୁ ପଡ଼ିବ । ଏହାପରେ ଆପଣ ୱାଲେଟରୁ ୱାଲେଟ ନେଣଦେଣ କରିପାରିବେ । ଏହା ଏକ ବ୍ଲକଚେନ ବେସଡ ଡିଜିଟାଲ ଟୋକର ଫାର୍ମ କରେନ୍ସି । ରିଟେଲ ଡିଜିଟାଲ କରେନ୍ସିରେ ଆପଣ କୌଣସି ବ୍ୟାଙ୍କକୁ ସାମିଲ ନକରି ମଧ୍ୟ ନେଣଦେଣ କରିବାରେ ସକ୍ଷମ ହୋଇପାରିବେ ।

ଇ-ରୁପିର ଫାଇଦା: ଡିଜିଟାଲ ଅର୍ଥ ବ୍ୟବସ୍ଥା ମଜୁବୁତ ହେବ, ଲୋକଙ୍କ ପକେଟରେ ଅର୍ଥ ରହିବା ଜରୁରୀ ନୁହେଁ, ମୋବାଇଲ ୱାଲେଟ ପରି ଏଥିରେ ପେମେଣ୍ଟ ସୁବିଧା ରହିବ, ଡିଜିଟାଲ ରୁପିକୁ ବ୍ୟାଙ୍କ ମନି ଓ କ୍ୟାଶରେ ସହଜଜେ କନଭର୍ଟ କରିହେବ, ବିଦେଶକୁ ଅର୍ଥ ପଠାଇବା ସମସ୍ୟା ହ୍ରାସ ପାଇବ, ଇ-ରୁପି ବିନା ଇଣ୍ଟରନେଟ ସଂଯୋଗରେ କାମ କରିବ ଓ ଏହାର ଭାଲ୍ୟୁ ସମସ୍ତ ମୁଦ୍ରାର ସମକକ୍ଷ ହେବ ।

ଇ-ରୁପିର କ୍ଷତି: ଏହାଦ୍ୱାରା ଅର୍ଥ ନେଣଦେଣର ପ୍ରାଇଭେସି ସମାପ୍ତ ହୋଇଯିବ । ଡିଜିଟାଲ ଟ୍ରାଞ୍ଜାକସନ ଉପରେ ସରକାରଙ୍କ ନଜର ରହିବ । ଏଥିରେ କୌଣସି ସୁଧ ମିଳିବ ନାହିଁ । ଯଦି ଏଥିରେ ସୁଧ ଦିଆଯିବ, ତେବେ ମୁଦ୍ରା ବଜାରରେ ଅସ୍ଥିରତା ଦେଖାଦେଇପାରେ ।