ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି । ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଗତକାଲି ଦୀପାଳି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପରେ ଗଣମାଧ୍ୟମକୁ ଦୀପାଳି କହିଛନ୍ତି ଯେ, ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର, ସ୍ୱର୍ଗତ ନବ ଦାସଙ୍କର ଏବଂ ଝାରସୁଗୁଡ଼ାବାସୀଙ୍କର। ଉପନିର୍ବାଚନ ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହାପରେ ମୁଁ ସମସ୍ତଙ୍କୁ ଭେଟି ସେମାନଙ୍କ ନିକଟରୁ ଆଶୀର୍ବାଦ ନେବା ସହ, ସେମାନଙ୍କୁ କୃତଜ୍ଞତା ଜଣାଇବି। ବାପାଙ୍କର ସ୍ୱପ୍ନ ଥିଲା ଯେ,ଝାରସୁଗୁଡ଼ାକୁ ନୂତନ ଭାବେ ଗଠନ କରିବା । ବାପାଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସେ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୋ ବାପା ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ନିର୍ମାଣ ସ୍ୱପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି।