୫ ମାସ ପରେ ହଟିଲା ବ୍ୟାନ୍, ଏଣିକି କାନାଡାକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରୁ ସିଧାସଳଖ କାନାଡାକୁ ଉଡ଼ାଣ ଭରୁଥିବା ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । କରୋନା ମହାମାରୀ ପାଇଁ ଯେଉଁ କଟକଣା ଲଗାଯାଇଥିଲା ତାକୁ ୫ ମାସର ସମୟ ବ୍ୟବଧାନ ପରେ ହଟାଇଦିଆଯାଇଛି । ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । କାନାଡା ଏୟାର୍ ପକ୍ଷରୁ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସିଧାସଳଖ ଉଡ଼ାଣ ଉପରେ ପ୍ରତିବନ୍ଧକ ହଟାଇବ । ସେହିପରି ଏୟାର୍ ଇଣ୍ଡିଆ ସେପ୍ଟେମ୍ବର ୩୦ ତାରିଖରୁ ସେବା ଆରମ୍ଭ କରିବ ।

ତେବେ ଟୁଇଟ୍ ରେ କୁହାଯାଇଛି ଯେ, ଯାତ୍ରୀ ମାନେ କାନାଡାକୁ ଯିବା ପୂର୍ବରୁ ସେମାନଙ୍କ ପାଖରେ ନେଗେଟିଭ୍ ଆରଟିପିସିଆର୍ ରିପୋର୍ଟ ରହିବା ଦରକାର । ଏହି ରିପୋର୍ଟ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ କରାଯାଉଥିବା ଆରଟିପିସିଆର୍ ଟେଷ୍ଟର ରିପୋର୍ଟ ହୋଇଥିବା ଦରକାର । ତେବେ ଏନେଇ ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।