ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରୋଗୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଡାକ୍ତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପକଣ୍ଠ ଚିକିତ୍ସାଳୟରୁ ଏମିତି ଏକ ଅଭିଯୋଗ ଆସିଛି । ଡାକ୍ତର ଜଣକ କେତେବେଳେ ବିଧା ଗୋଇଠା ତ କେତେବେଳେ ବାଡି ଧରି ଆକ୍ରମଣ କରୁଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଡାକ୍ତର ଜଣକ ଏତେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯେ ସୁରକ୍ଷାକର୍ମୀଙ୍କ ବାରଣ ସତ୍ତ୍ୱେ ଆକ୍ରମଣ କରି ଚାଲିଥିଲେ । ତେବେ ବର୍ତ୍ତମାନ ଯାଏଁ ଡାକ୍ତରଙ୍କ ଆକ୍ରମଣର କାରଣ ଜଣା ପଡି ନଥିଲେ ମଧ୍ୟ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ରୋଗୀଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲକୁ ଆସିଥିଲେ । ମେଡ଼ିସିନ ଖାଇବା ପରେ ବି ଯନ୍ତ୍ରଣା ନ କମିବାରୁ ସେ ଡାକ୍ତରଖାନା ପରିସରରେ ବସି ରହିଥିଲେ । ଏହି ସମୟରେ ହଠାତ ଡାକ୍ତର ଜଣକ ପହଞ୍ଚି କାହିଁକି ଚିତ୍କାର କରୁଛ ବୋଲି କହି ଆକ୍ରମଣ କରିଥିବା ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଯୁବକଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ପହଞ୍ଚିଥିଲେ । ପହଞ୍ଚିବା ପରେ ସେ ଡାକ୍ତର କାହାନ୍ତି ବୋଲି ସିକ୍ଯୁରିଟି ଗାର୍ଡଙ୍କୁ ପଚାରିଥିଲେ । ଡାକ୍ତର ବାହାରକୁ ଯାଇଥିବା କି ଟଏଲେଟ ଯାଇଥିବା ଗାର୍ଡ ଜଣକ ଉତ୍ତର ଦେଇଥିଲେ ।ଏହାର କିଛି ସମୟ ପରେ ଡାକ୍ତର ଆସିଥିଲେ । ତାଙ୍କ ଯନ୍ତ୍ରଣା ଦେଖି ଡାକ୍ତର ଜଣକ ତୁରନ୍ତ ଚିକିତ୍ସା କରିବା ପାଇଁ କହିଥିଲେ ଓ ଏହି ସମୟରେ ଡାକ୍ତର ଏବଂ ଉକ୍ତ ରୋଗୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ହୋଇଥିଲା । ଆଉ ଏହି ଘଟଣାଟି ଦେଖୁ ଦେଖୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ସକାଳେ ଡାକ୍ତରଙ୍କ ଏହି ଭିଡିଓଟି ଭାଇରାଲ ହୋଇଥିଲା । ଡାକ୍ତର ଶୈଳବ କୁମାର ଦୋରା ଏକ ବାଡିରେ ସେହି ରୋଗୀଙ୍କୁ ବାଡାଉଛନ୍ତି । ଏହି ଘଟଣା ଭାଇରାଲ ହେବାରେ ଉକ୍ତ ରୋଗୀଙ୍କ ପରିବାର ଲୋକ, ପଡା ବାସିନ୍ଦା ଏବଂ ସମର୍ଥକ ଆଜି ଆଜି ହସ୍ପିଟାଲ ରାସ୍ତା ରୋକ କରିଛନ୍ତି । ଯେଉଁ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବା ବଦଳରେ ବାଡିରେ ଏଭଳି ମାଡ ମାରିଛନ୍ତି ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରୁଛନ୍ତି । ଡାକ୍ତରଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ସେମାନେ ନାରା ଲଗାଉଛନ୍ତି