ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ପ୍ରସବ ବେଳେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର
ପୀଡିତାଙ୍କ ପରିବାର ହସ୍ପିଟାଲ କର୍ମଚାରୀଙ୍କୁ ପଚରା ଉଚରା କରିବାରୁ ସେମାନଙ୍କ ସହିତ ଦୁର୍ବ୍ୟବହାର।
ହରିୟାଣା: ହସ୍ପିଟାଲରୁ ଆସିଲା ଛାତି ଥରେଇ ଦେବା ଭଳି ଘଟଣା। ପ୍ରସବ କରିବା ସମୟରେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର। ଏପରି ଏକ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ହରିୟାଣାର ମାନବାଧିକାର କମିଶନ ମାଣ୍ଡିଖେଡା ସିଭିଲ୍ ହସ୍ପିଟାଲରେ ପ୍ରସବ ସମୟରେ ଚିକିତ୍ସା ଅବହେଳା ଯୋଗୁଁ ଏକ ନବଜାତ ଶିଶୁର ହାତ କାଟି ଦିଆଯିବା ଘଟଣାର ନିଜେ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି।
କମିଶନ କହିଛନ୍ତି ଯେ ଏହି ଘଟଣା ‘ଶିଶୁ ଅଧିକାର ଉପରେ ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀ’ର ଏକ ଗମ୍ଭୀର ଉଲ୍ଲଂଘନ। କମିଶନ କହିଛନ୍ତି ଯେ ଏହି ଘଟଣା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ସ୍ୱାସ୍ଥ୍ୟ ଅଧିକାରର ମଧ୍ୟ ଉଲ୍ଲଂଘନ।
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଥିଲା ଯେ ଜୁଲାଇ ୩୧ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଣ୍ଡିଖେଡା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରସବ ସମୟରେ ଉକ୍ତ ମହିଳାଙ୍କ ନବଜାତ ଶିଶୁର ହାତକୁ କାଟିଦେଇଥିଲେ ଡାକ୍ତର।
ଆଉ ଏନେଇ ଯେତେବେଳେ ପୀଡିତାଙ୍କ ପରିବାର ହସ୍ପିଟାଲ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ, ସେତେବେଳେ ସେମାନଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଜୋରଜବରଦସ୍ତି ୱାର୍ଡରୁ ବାହାର କରି ଦିଆଯାଇଥିଲା।
ପରେ ନବଜାତ ଶିଶୁକୁ ନାଲହାର ହସ୍ପିଟାଲକୁ ପଠାଯାଇଥିଲା। କମିଶନ କହିଛନ୍ତି, “ପ୍ରସବ ସମୟରେ ନବଜାତ ଶିଶୁର ହାତ କାଟି ଦିଆଯିବା ଘଟଣା ପ୍ରାଥମିକ ଦୃଷ୍ଟିରୁ ଗୁରୁତର ଡାକ୍ତରୀ ଅବହେଳାର ଏକ ମାମଲା ବୋଲି ମନେହୁଏ।”