fbpx

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଯୁବ ଡାକ୍ତର । ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ଡାକ୍ତର । ଉକ୍ତ ଡାକ୍ତର ଜଣଙ୍କ ହେଉଛନ୍ତି ବାରିପଦାର ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଥିବା ଡା. ଦେବୀଦତ୍ତ ପାତ୍ର । ରଙ୍ଗମାଟିଆସ୍ଥିତ ମେଡିକାଲ ନିକଟସ୍ଥ ଏକ ସ୍ଥାନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଡା. ପାତ୍ରଙ୍କୁ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ରଘୁନାଥ ମାର୍ଣ୍ଡିଙ୍କ ଗତ ମାସରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା । ତେଣୁ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲକୁ ଅଣାଯାଇଥିଲା । ତେବେ ଚଳିତ ସପ୍ତାହରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ତାଙ୍କ ଭଉଣୀ ସୁଦେବୀ ଟୁଡୁ ହସ୍ପିଟାଲକୁ ଯାଇଥିଲେ ହେଁ ଏଥିପାଇଁ ଡା. ପାତ୍ର ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସୁଦେବୀ ବାଲେଶ୍ୱର ଭିଜିଲାନ୍ସ ଶାଖାରେ ଅଭିଯୋଗ କରିଥିଲେ । ଡା. ପାତ୍ରଙ୍କୁ ସୁଦେବୀ ୨୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ତେବେ ଧରାପଡ଼ିବା ପରେ ଡା. ପାତ୍ର ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ଡାକ୍ତରୀ ପରୀକ୍ଷା ପରେ ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.