fbpx

କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତରଙ୍କ ମିଳିଲା ପତ୍ତା, କର୍ଣାଟକରୁ ଠାବ କରିଲା ପୋଲିସ

ଓଡ଼ିଶା ଭାସ୍କର: ନିକଟରେ ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତରଙ୍କ ପତ୍ତା ମିଳିଛି । ଡାକ୍ତର ଅମ୍ଳାନ ଭୋଇଙ୍କୁ କର୍ଣ୍ଣାଟକରୁ ପୋଲିସ ଠାବ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ନୀତୀଶ ୱାଧୱାନୀ । ଏବେ ଡାକ୍ତର ଅମ୍ଳାନଙ୍କୁ ମାଲକାନଗିରିକୁ ଅଣାଯିବ ନେଇ ପ୍ରକ୍ରିୟା ଚାଲିଛି । ତେବେ ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା ।

ସୂଚନାରୁ ପ୍ରକାଶ ଶନିବାର ବିଳମ୍ବିତ ରାତିରୁ ଡାକ୍ତର ଭୋଇ ନିଖୋଜ ଥିଲେ । ସେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା କ୍ୱାର୍ଟର୍ସ ସମ୍ମୁଖରୁ ମିଳିଥିବା ଚିଠିରୁ ଅନୁମାନ କରାଯାଉଥିଲା । କିନ୍ତୁ ଉକ୍ତ ଚିଠିକୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଛି । ସେହିପରି ମାଓବାଦୀ କାହାକୁ ଅପହରଣ କଲେ ୨୪ଘଣ୍ଟା ମଧ୍ୟରେ ତାହାର ସୂଚନା ଗଣମାଧ୍ୟମକୁ ଦେଇଥାନ୍ତି । କିନ୍ତୁ ୩୬ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ମାଓବାଦୀ କୌଣସି ସୂଚନା ଦେଇନଥିଲେ । ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଖାନାରେ ପାଟିତୁଣ୍ଡ ହୋଇଥିଲା । ତେଣୁ ସେହି ଘଟଣା ସହ ଡାକ୍ତରଙ୍କ ଅପହରଣକୁ ବି ଯୋଡ଼ିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁମାନଙ୍କ ସହ ଡାକ୍ତରଙ୍କ ପାଟିତୁଣ୍ଡ ହୋଇଥିଲା ସେମାନଙ୍କୁ ଆଜି ଥାନାକୁ ଡକାଯାଇଥିଲା । ପଚରାଉଚରା ସମୟରେ ଶୁକ୍ରବାର ଡାକ୍ତରଖାନାରେ ସେମିତି କିଛି ହୋଇନଥିବା ପୁଲିସକୁ ବୟାନ ଦେଇଛନ୍ତି । ପରେ ଶନିବାର ବିଳମ୍ବିତ ରାତିରେ ଡାକ୍ତର ଏଟିଏମ୍‌ରୁ ୪୮ହଜାର ଟଙ୍କା ଉଠାଇଥିବା ଜଣାପଡିଥିଲା । ଏହା ସହ ସେ ଦୁଇଟି ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ମଧ୍ୟ ଜଣାପଡ଼ିଥିଲା । ତଥାପି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଏକାଧିକ ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଥିଲା ।

ଅପରପକ୍ଷରେ ପରିବାରବର୍ଗ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ନିଖୋଜ ଡାକ୍ତର ଭୋଇଙ୍କୁ ଖୋଜିବା ପାଇଁ ନିବେଦନ କରିଥିବା ଜଣାପଡିଛି । ତେବେ ସେ କିପରି ଓ କେଉଁ କାରଣରୁ କାହାକୁ ନ କହି ମାଲକାନଗିରିରୁ କର୍ଣ୍ଣାଟକା ଚାଲି ଯାଇଥିଲେ ତାହା ଏବେ ସସ୍‌ପେନ୍ସ ଘେରରେ ଥିବା ବେଳେ ସେ ଫେରିବା ପରେ ସବୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.