ନୂଆଦିଲ୍ଲୀ: ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି । ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡାକ୍ତର ସୁମିତ । ଗତ ୪ ତାରିଖରେ ଜିଲ୍ଲା ଜଜ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରିଛନ୍ତି ସୁମିତ । ତେବେ ଆଜି ସୁମିତଙ୍କ ପକ୍ଷରୁ ଏହି ନୂଆ ପଦକ୍ଷେପ ତପସ୍ୱିନୀଙ୍କ ଅଡ଼ୁଆ ବଢ଼ାଇପାରେ । ଗତକାଲି ସୁମିତଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ପ୍ରଦାନ କରାଯାଇନଥିବାରୁ ତପସ୍ୱିନୀ ଆଜି ପିଟିସନ ଦାୟର କରିପାରନ୍ତି ବୋଲି ଗତକାଲି ତାଙ୍କର ଓକିଲ ସୂଚନା ଦେଇଥିଲେ ।
ଗତ ୪ ତାରିଖରେ ଜିଲ୍ଲା କୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ଘରେ ରହିବେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ସୁମିତ ତପସ୍ୱିନୀଙ୍କୁ ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିଥିଲେ । ତେବେ ପରବର୍ତ୍ତୀ ସମୟରେ ତପସ୍ୱିନୀ ପୋଲିସ, ତହସିଲଦାର ଓ ତାଙ୍କ ଓକିଲଙ୍କ ଉପସ୍ଥିତିରେ ଶ୍ୱଶୁରଙ୍କ ଘରେ ଗତ ୬ ତାରିଖରେ ପ୍ରବେଶ କରିଥିଲେ । ତେବେ ଉକ୍ତ ରାତିରେ ତାଙ୍କର ଶ୍ୱଶୁର ପ୍ରମୋଦ ସାହୁ ନିଜ ଘର ଛାଡ଼ି ଚାଲିଯାଇଥିଲେ । ପରେ ସେ ଏକ ଭିଡିଓରେ ଶେୟାର କରି କହିଥିଲେ ଯେ, ଅତୀତରେ ତପସ୍ୱିନୀ ତାଙ୍କ ପରିବାର ନାମରେ ଅନେକ ଅଭିଯୋଗ ଆଣିଥିବାରୁ ବର୍ତ୍ତମାନ ସେ ଅସୁରକ୍ଷିତ ଥିବାରୁ ଘର ଛାଡ଼ିଥିଲେ । ଅନ୍ୟପଟେ ମାସେ ସମୟ ପୂରଣ ହୋଇନଥିବାରୁ ତପସ୍ୱିନୀଙ୍କୁ ଟଙ୍କା ଦିଆଯିବନି ବୋଲି ଗତକାଲି ସୁମିତଙ୍କ ଓକିଲ କହିଥିଲେ । ଏବେ ଆଜି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଏହି ମାମଲାକୁ ଆହୁରି ଗମ୍ଭୀର କରିଦେଇଛି ।