fbpx

ଡୋମିନିକ ଲାପିୟରଙ୍କ ପରଲୋକ, ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଲେଖିଥିଲେ ପୁସ୍ତକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫ୍ରେଞ୍ଚ ଲେଖକ ଡୋମିନିକ ଲାପିୟରଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅନେକ ଐତିହାସିକ ଘଟଣାକୁ ପୁସ୍ତକ ଜରିଆରେ ଲୋକଲୋଚନକୁ ଆଣିବାରେ ଜଣେ ଅଗ୍ରଗଣ୍ୟ ଲେଖକ ଥିଲେ। ଲେଖକ ହିସାବରେ ଦୁନିଆରେ ତାଙ୍କର ସ୍ଵତନ୍ତ୍ର ସ୍ଥାନ ରହିଛି। ସେ ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଆଧାରିତ ‘ଫ୍ରିଡମ ଅଫ ମିଡନାଇଟ୍’ ପୁସ୍ତକ ରଚନା କରିଥିଲେ। ତାଙ୍କର ସହ ଲେଖକ  ହିସାବରେ ଥିଲେ ହେନରି କଲିନ୍ସ। ଏହି ପୁସ୍ତକ ଭାରତର ସ୍ଵାଧୀନତା ଏବଂ ବିଭାଜନର ବିଭୀଷିକାର ଇତିହାସକୁ ବର୍ଣ୍ଣନା କରିବାରେ ଅନେକ ପୁସ୍ତକ ମଧ୍ୟରୁ ଅନ୍ୟତମ। ଏହା ବ୍ୟତୀତ ତାଙ୍କର କୋଲକାତାର ଜଣେ ରିକ୍ସା ଚାଳକଙ୍କ ଜୀବନି ଉପରେ ଆଧାରିତ ପୁସ୍ତକ ‘ସିଟି ଅଫ ଜୟ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା।

୧୯୩୧ ଜୁଲାଇ ୩୦ରେ ଫ୍ରାନ୍ସର ଚେଟଲିନାନ ସହରରେ ଜନ୍ମ ଗ୍ରହଣ କରିଥିବା ଡୋମିନିକ ଲାପିୟର ଫ୍ରାନ୍ସର ଜଣେ ପ୍ରସିଦ୍ଧ ଲେଖକ ଥିଲେ। ୯୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିବା ପତ୍ନୀ ଫ୍ରାନ୍ସ ସମାଚାର ପତ୍ରକୁ ଜଣାଇଛନ୍ତି। ସହ ଲେଖକ ଲାରି କଲିନ୍ସଙ୍କ ସହ ଲାପିୟର ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଆଧାରିତ ପୁସ୍ତକ ଲେଖିଥିଲେ। ‘ଫ୍ରିଡମ ଅଫ ମିଡନାଇଟ୍’ ପୁସ୍ତକ ସମଗ୍ର ଦୁନିଆରେ ପ୍ରଶଂସା ସାଉଁଟିବା ସହ ଚର୍ଚ୍ଚାରେ ରହିଥିଲା। କଲିନ୍ସଙ୍କ ସହିତ ମିଳିତ ଭାବେ ଲେଖା ଯାଇଥିବା ଲାପିୟରଙ୍କ ଅନ୍ୟ ଲୋକ ପ୍ରିୟ ପୁସ୍ତକ ହେଉଛି ‘ଇଜ ପ୍ୟାରିସ୍ ବର୍ଣ୍ଣିଂ? ’ ଉଭୟଙ୍କ ଛଅଟି ପୁସ୍ତକର ପ୍ରାୟ ୫୦ ମିଲିୟନ ଅର୍ଥାତ ୫ କୋଟି କପି ବିକ୍ରି ହୋଇଥିଲା।

‘ଫ୍ରିଡମ ଅଫ ମିଡନାଇଟ୍’
‘ଫ୍ରିଡମ ଅଫ ମିଡନାଇଟ୍’ ଲାପିୟର ଏବଂ କଲିନ୍ସଙ୍କ ବିଶ୍ଵ ପ୍ରସିଦ୍ଧ ପୁସ୍ତକ। ଏହାର ପ୍ରଥମ ସଂସ୍କରଣ ୧୯୭୫ରେ ପ୍ରକାଶିତ ହୋଇଥିଲା। ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲୁଇ ମାଉଣ୍ଟବେଟନକୁ ଏହି ପୁସ୍ତକରେ ନାୟକ ଭାବେ ଚିତ୍ରଣ କରାଯାଇଛି। ଏହାର ପୂରା କାହାଣୀ ତାଙ୍କ ଚତୁଃପାର୍ଶ୍ଵରେ ଗତି କରୁଛି। ଶେଷ କିଛି ଚାପ୍ଟରରେ ସାଂପ୍ରଦାୟିକ ଦଙ୍ଗାରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଉପଦେଶ ଉଲ୍ଲେଖ ରହିଛି। ପୁସ୍ତକରେ ଲେଖକଙ୍କ ଅନୁଯାୟୀ, ଅନ୍ତିମ ଭାଇସରାୟ ଭାବ ମାଉଣ୍ଟବେଟନଙ୍କ ଆଭିମୁଖ୍ୟ ଭାରତ ବିଭାଜନ ବିରୋଧରେ ଥିଲା। ଭାରତ ବିଭାଜନ ହେଉ ବୋଲି ସେ ଚାହୁଁନଥିଲେ। ଯଦି ସେ ଜାଣି ପାରିଥାନ୍ତେ ଯେ ଜିନ୍ନା କେବଳ ଆଉ କିଛି ମାସର ଅତିଥି ତେବେ ମାଉଣ୍ଟବେଟନ ଭାରତ ବିଭାଜନ ପରିବର୍ତ୍ତେ ଜିନ୍ନାଙ୍କ ମୃତ୍ୟୁକୁ ଅପେକ୍ଷା କରିଥାନ୍ତେ। ହେଲେ ଜିନ୍ନାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ କେବଳ ଜଣେ ହିନ୍ଦୁ ଡାକ୍ତର ଜାଣିଥିଲେ। ହେଲେ ସେ ରୋଗୀଙ୍କ ସହ ବିଶ୍ଵାସଘାତ କରିନଥିଲେ। ତେବେ ପୁସ୍ତକରେ ଏହା ଉଲ୍ଲେଖ ନାହିଁ ଯେ, କଣ ଜିହ୍ନା ଡାକ୍ତରଙ୍କୁ ତାଙ୍କ ରୋଗ ବିଷୟରେ ଗୋପନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନା ନାହିଁ।

‘ସିଟି ଅଫ ଜୟ’
ଲାପିୟରଙ୍କ ଆଉ ଏକ ଉପନ୍ୟାସ୍ ‘ସିଟି ଅଫ ଜୟ’ ୧୯୮୫ରେ ପ୍ରକାଶ ପାଇଥିଲା। ଏହି ପୁସ୍ତକ କୋଲକାତା ସହରର ଜଣେ ରିକ୍ସା ଚାଳକଙ୍କ କାହାଣୀ ଉପରେ ବର୍ଣ୍ଣିତ। ଏହା ଉପରେ ଆଧାରିତ ଏକ ଫିଲ୍ମ ୧୯୯୨ରେ ରିଲିଜ୍ ହୋଇଥିଲା। ଏଥିରେ ପେଟ୍ରିକ ସ୍ଵେଜ୍ ଅଭିନୟ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରୋଲାଣ୍ଡ ଜୋଫ। ଲାପିୟର ଭାରତରେ ମାନବୀୟ ସମ୍ବେଦନା ସମର୍ଥନରେ ‘ସିଟି ଅଫ ଜୟ’ ପୁସ୍ତକରୁ ଯେଉଁ ଲାଭ ମିଳିଥିଲା, ତାର ବଡ ଅଂଶ ଦାନ କରିଥିଲେ।

Get real time updates directly on you device, subscribe now.