fbpx

ପଶ୍ଚିମବଙ୍ଗ ପରେ ପଞ୍ଜାବରେ ମନା କଲା ଆପ୍ ପାର୍ଟି: କଂଗ୍ରେସ ସହ ମିଶି ଲଢ଼ିବୁନି ନିର୍ବାଚନ

ନୂଆଦିଲ୍ଲୀ: ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ। ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧିଛନ୍ତି। ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’ ରଖାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା। ହେଲେ ନିର୍ଦ୍ଦିଷ୍ଟ ଭାବେ ଆସନ ଭାଗବଣ୍ଟାକୁ ନେଇ ସମସ୍ତ ଦଳ ଭିତରେ ବିବାଦ ଦେଖାଗଲାଣି। କାରଣ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ମେଣ୍ଟ ପାଇଁ ମନା କରିବା ପରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କଂଗ୍ରେସ ସହ ମେଣ୍ଟ ପାଇଁ ମନା କରିଛି । ଆପ୍ ସ୍ପଷ୍ଟ କରିଛି ଯେ ପଞ୍ଜାବରେ ଦଳ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ।

ଏହାକୁ ନେଇ ଆପର ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଭଗବନ୍ତ ମାନ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ସହିତ ଆମର କିଛି ନାହିଁ। ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରାୟ ୪୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଏହା ସହ ୧୩ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ଲାଗି ସର୍ଭେ କରୁଛି। ତେବେ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ସମ୍ପର୍କରେ ଭଗବନ୍ତ ମାନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ମଧ୍ୟ ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ବି ପ୍ରାର୍ଥୀ ଦେବ। ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି ବୋଲି ଆପ୍ କହିଛି। ଏପର୍ଯ୍ୟନ୍ତ ଏଠାରେ ୭ଟି ଆସନ ପାଇଁ ଫର୍ମୁଲା ପ୍ରସ୍ତୁତ ହୋଇନଥିବା ବେଳେ ଆସନ ବଣ୍ଟନ ନେଇ କଂଗ୍ରେସର ଜାତୀୟ ମେଣ୍ଟ କମିଟି ଓ ଆପ୍ ନେତାଙ୍କ ମଧ୍ୟରେ ବୈଠକ ବସିଛି।

ଏଠାରେ କହି ରଖୁଛୁ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା ଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଥିଲେ। କିନ୍ତୁ ପ୍ରଥମରୁ ହିଁ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବା ନେଇ ନିଷ୍ପତି ନେଇଛି। ଏଣୁ ଅନ୍ୟାନ ଦଳ କଂଗ୍ରେସ ସହ ମିଶି ନିର୍ବାଚନ ନ ଲଢ଼ିଲେ, ଖଡଗେ କେମିତି ପ୍ରଧାନମନ୍ତ୍ରୀ ହେବେ ସେନେଇ ପ୍ରଶ୍ନ ଉଠୁଛି।

 

Get real time updates directly on you device, subscribe now.