ମା’ଙ୍କ ନାଁରେ ରହିଛି ବିଚିତ୍ର ଶକ୍ତି, ଝରଣା ଜଳ ପାନ କଲେ ଭଲହୁଏ ଚର୍ମ ରୋଗ, ପୀଠରେ ସର୍ବଦା ଲାଗିରହିଥାଏ ଭକ୍ତଙ୍କ ଭିଡ଼

ଢେଙ୍କାନାଳ: ମା’ଙ୍କ ନାଁ ଧରିଲେ ଭଲ ହୁଏ ଦୁରାରୋଗ୍ୟ, ଖାଲି ଏତିକି ନୁହେଁ ଏଠିକାର ବୃକ୍ଷରୁ ନିଃସୃତ ଝରଣା ଜଳ ପାନ କଲେ ଭଲ ହେଉଛି ଚର୍ମ ଓ ପେଟ ରୋଗ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ଐତିହ୍ୟର ଅନେକ କିମ୍ବଦନ୍ତୀ । ବିଶ୍ୱାସ, ଭକ୍ତି ଏବଂ ଚେତନା ସହ ଜଡିତ ରହିଛି ଆଧ୍ୟାତ୍ମିକତାର ଭାବନା । ଓଡ଼ିଶାର ପୃଷ୍ଠଭୂମିରେ ଭକ୍ତ ଓ ଭଗବାନଙ୍କର ଅନେକ ପୌରାଣିକ କିମ୍ବଦନ୍ତୀ ଆଜିବି ଇତିହାସର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଲୋକଙ୍କ ବିଶ୍ୱାସ ଏବଂ ଆଧ୍ୟାତ୍ମିକର ପୃଷ୍ଠଭୂମି ଏହାର ମହତ୍ୱ ଏବଂ ଗୁରୁତ୍ୱକୁ ପ୍ରତିପାଦନ କରିଥାଏ । ମାଆଙ୍କ ନାମ ହେଲେ ଭଲ ହେଉଛି ଦୁରାରୋଗ୍ୟ ଏବଂ ଅଜଣା ଗଛରୁ ନିଃସୃତ ଝରଣା ଜଳ ଦ୍ୱାରା ଭଲ ହେଉଛି ଚର୍ମ ଓ ପେଟ ରୋଗ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହେଡ଼କ୍ୱାଟର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି କାଦୁଆ ପଞ୍ଚାୟତ ଅନ୍ତର୍ଗତ ସମାଟାଙ୍ଗୀ ଗାଁର ତେଣ୍ଡାଖୋଲ ଆଶ୍ରମ । ତିନି ପାହାଡ଼ ଘଞ୍ଚ ଜଙ୍ଗଲ ଘେରା ଏହି ଆଶ୍ରମରେ ପୂଜା ପାଉଛନ୍ତି ମା’ ତେଣ୍ଡେଇଶୁଣି । କାହିଁ କେଉଁ କାଳରୁ ପୂଜା ପାଉଛନ୍ତି ମାଆ ତେଣ୍ଡେଇଶୁଣି । ବିଶ୍ୱାସ ରହିଛି ମାଆଙ୍କ ନାମ ନେଲେ ଭଲ ହୋଇଥାଏ ଦୁରାରୋଗ୍ୟ । ମିଳଥାଏ ମାନନସିକ ଶାନ୍ତି । ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ଏହି ପୀଠକୁ ଓଡ଼ିଶାର କୋଣ ଅନୁକୋଣରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଯଦିଓ ପୀଠଟିର ଧୀରେ ଧୀରେ ଅନେକ ଉନ୍ନତି ଘଟିଛି ତେବେ ଅଦ୍ୟାବଧି ସମସ୍ୟା ଘେରରେ ରହିଛି ତେଣ୍ଡାଖୋଲ ଆଶ୍ରମ । ପାହାଡ଼ର ପାଦ ଦେଶରେ ରହିଛି ଆଶ୍ରମ ଓ ମାଆଙ୍କ ପୀଠ । ଠିକ୍ ପାହାଡ଼ ଉପରେ ନିର୍ମାଣ ହେଉଛି ବାବା ତେଣ୍ଡେଶ୍ୱରଙ୍କ ମନ୍ଦିର । ଯାହା ପୂର୍ବରୁ ପାହାଡ଼ର ଶିଖରରେ ପୂଜା ପାଉଥିବା ଦୃଷ୍ଟି ଗୋଚର ହୋଇଛି । ପାହାଡ଼ର ଶିଖରରେ ରହିଛି ଏକ ଅଜଣା ବୃକ୍ଷ । ଯେଉଁ ବୃକ୍ଷଟିର ପରିଚୟ ଆଜି ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି । ମାତ୍ର ସେହି ବୃକ୍ଷରୁ ନିର୍ଗତ ଜଳ ଏକ ଝରଣା ଦେଇ ପ୍ରବାହିତ ହେଉଛି । ଯେଉଁ ଜଳକୁ ପାନ କଲେ ଲୋକଙ୍କ ଚର୍ମ ଓ ପେଟ ରୋଗ ଭଲ ହେଉଥିବା ବିଶ୍ୱାସ ରହିଛି ।

ଘଞ୍ଚ ଜଙ୍ଗଲ ଭିତରେ ପରିବେଷ୍ଟିତ ଏହି ଆଶ୍ରମର ଚତୁର୍ପାଶ୍ୱରେ ଅନେକ ଔଷଧୀୟ ବୃକ୍ଷ ସହିତ ହାତୀ, ହରିଣ, ବାରହା, ନେପାଳୀ ମୂଷା, ସମ୍ବର, କୁଟୁରା, ମୟୁର ଭଳି ଅନେକ ଜୀବଜନ୍ତୁ ଅବାଧରେ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଏହାର ପ୍ରାକୃତିକ ଶୋଭା ବେଶ ମନଲୋଭା । ବର୍ଷର ସବୁ ସମୟରେ ଏଠାରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ସମାଟାଙ୍ଗୀ ଗାଁର ଲୋକଙ୍କ ସହଯୋଗରେ ପୀଠର ଅନେକ ଉନ୍ନତିକରଣ ହୋଇଛି ମାତ୍ର ସମସ୍ୟା ଘେରରେ ରହିଛି ଏହାର ରାସ୍ତା ଏବଂ ପୀଠର ଆବଶ୍ୟକ ଗୃହ । ସବୁବେଳେ ସନ୍ୟାସୀମାନେ ସେଠାରେ ଧ୍ୟାନରତ ହୋଇ ରହିଛନ୍ତି । ତେବେ ମାଆଙ୍କ ଅପାରକୃପା ଏବଂ ବାବା ତେଣ୍ଡେଶ୍ୱରଙ୍କ ମହିମା ଯୋଗୁଁ ଏହି ଅଞ୍ଚଳ ବେଶ ଖ୍ୟାତିନାମ ଅର୍ଜନ କରିଛି । ଯଦିଓ ଏହାର ଅନେକ କିମ୍ବଦନ୍ତୀ ରହିଛି କିନ୍ତୁ ତାହା ଓଡ଼ିଶା ପର୍ଯ୍ୟଟନରେ ସ୍ଥାନ ପାଇ ପାରିନାହିଁ । ଲୋକଙ୍କ ବିଶ୍ୱାସ ଓ ପୀଠର କିମ୍ବଦନ୍ତୀ ଧୀରେ ଧୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି ।