fbpx

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ; ହନ୍ତସନ୍ତ ହେଉଛନ୍ତି ଅପେକ୍ଷାରତ ଯାତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ସବୁ ବସ୍‌ ଟର୍ମିନାଲରେ ବସ୍‌ ଚଳାଚଳ ବନ୍ଦ । ବସ୍ ଚଳାଚଳ ବନ୍ଦ ଯୋଗୁଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ । ହିଟ୍ ଆଣ୍ଡ ରନ୍‌ ପାଇଁ ନୂଆ ଆଇନକୁ ନେଇ ଡ୍ରାଇଭରଙ୍କ ଆନ୍ଦୋଳନ । ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଚାଲିଛି। ଏଥିରେ ଓଡିଶା ଡ୍ରାଇଭର ମହାସଂଘ ମଧ୍ୟ ସାମିଲ ହେବ। ସମଗ୍ର ରାଜ୍ୟର ଡ୍ରାଇଭର ଆଗାମୀ ଦୁଇ ଦିନ ମଧ୍ୟରେ ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।

ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍‌ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହଁ। ଏହାବାଦ ଦୁର୍ଘଟଣା ହେଲେ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ନେବାକୁ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପରି ସ୍ଥିତିରେ ଆମେ ଗାଡ଼ିରୁ ଓହ୍ଲାଇଲେ ଲୋକେ ଆମକୁ ପିଟି ମାରିଦେବେ। ସେପରି ସ୍ଥଳରେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ । ଏଥିସହ ଅଧିକାଂଶ ଦୁର୍ଘଟଣା ମଦ ଯୋଗୁ ଘଟୁଥିବାରୁ ସରକାର ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି ବୋଲି ସଙ୍ଘ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଅନ୍ୟପଟେ ସରକାର ଆଜି ପର୍ୟ୍ୟନ୍ତ ଆମ ଦାବି ଶୁଣୁ ନାହାନ୍ତି, ଭୂଆଁ ବୁଲାଉଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ଗତ ଥର ଆମର ୧୦ଟି ଦାବି ଥିଲା। ସେଥିରୁ ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ। ହେଲେ ତାହାକୁ ଆଜି ପର୍ୟ୍ୟନ୍ତ ପୂରଣ କରି ପାରି ନାହାନ୍ତି। ତେଣୁ ଆଜିଠୁ ସମଗ୍ର ଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।

Get real time updates directly on you device, subscribe now.