Duplesisଙ୍କ ଲଢୁଆ ଅର୍ଦ୍ଧଶତକ: King’s ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଓପ୍ନର ଫାଫ୍ ଡୁ ପ୍ଲେସିସଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଫାଫ ଡୁପ୍ଲେସିସଙ୍କ ୭୬ ରନ ସହାୟତାରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି । ଆରମ୍ଭରୁ ଧୀମା ବ୍ୟାଟିଂ କରିଥିବା ଡୁପ୍ଲେସିସ ଗିଅର ବଦଳାଇବା ସହିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୫୫ ବଲରୁ ୮ ଚୌକା ଓ ଦୁଇ ଛକା ସହିତ ୭୬ ରନ ସଂଗ୍ରହ କରିଥିଲେ ଡୁପ୍ଲେସିସ । ପଞ୍ଜାବ ପକ୍ଷରୁ କ୍ରିସ ଜୋର୍ଡାନ ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ଦୁଇ ଓପ୍ନର ଦ୍ରୁତ ଗତିରେ ରନ ସଂଗ୍ରହରେ ବିଫଳ ହୋଇଥିଲେ । ଦଳୀୟ ସ୍କୋର ୧୮ରେ ଋତୁରାଜ ଗାଏକ୍ୱାଡ ଆଉଟ ହୋଇଥିଲେ । ମୋଇନ ଅଲୀ(୦), ରବିନ ଉତ୍ଥାପା(୨) ଓ ଅମ୍ବାତି ରାୟୁଡୁ(୪) ବିଫଳ ହୋଇଥିଲେ । ମହେନ୍ଦ୍ର ସିଂ ଧୋନୀ(୧୨) ଓ ରବୀନ୍ଦ୍ର ଜାଡେଜା(୧୫) ଙ୍କ ବ୍ୟାଟ ମଧ୍ୟ ନୀରବ ରହିଥିଲା । ଗୋଟିଏ ପଟୁ ପ୍ରାଚୀର ଭଳି ଖେଳି ଡୁପ୍ଲେସିସ ୭୬ ରନ ସଂଗ୍ରହ କରିବା ସହିତ ଦଳକୁ ଏକ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ । କ୍ରିସ ଜୋର୍ଡାନ ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ଶାମି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।