fbpx

ରାଜଧାନୀରେ ଦୁର୍ଗାପୂଜା ଲାଗି ଜାରି ହେଲା ମାର୍ଗଦର୍ଶିକା: ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

Advertisement

ଭୁବନେଶ୍ବର: ଆସୁଛି ଦୁର୍ଗାପୂଜା, ମୂର୍ତ୍ତି କାରିଗରଙ୍କ ଠାରୁ ଆରମ୍ଭ କରି ବାହାର ତୋରଣ ସଜାଉଥିବା କରିଗର କାହାରିକୁ ତର ନାହିଁ । ଏପଟେ ସମସ୍ତ ପୂଜା ଆୟୋଜକ କମିଟି ବି ପ୍ରସ୍ତୁତ । ଏବର୍ଷ ରାଜଧାନୀ ଭୁବନେଶ୍ୱରରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି । ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି । ଏବର୍ଷ ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମିଳିଛି ଅନୁମତି । ଭସାଣି ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିସନର।

ସବୁଠି ପ୍ରସ୍ତୁତି ଚାଲିଥିବାବେଳେ, ବର୍ଷାରେ ଖରାପ ହୋଇଥିବା ରାସ୍ତାର ମରାମତି ଓ ଡ୍ରେନେଜ ସମସ୍ୟା ପାଇଁ ୫କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ସହରରେ ହେଉଥିବା ପୂଜା ଓ ଭସାଣି ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ । ବୈଠକରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ତିନି ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର ଓ ଟ୍ରାଫିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେପଟେ ଡିସିପି ପ୍ରତିକ ସିଂହ କହିଛନ୍ତି, ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପ୍ରସ୍ତୁତ ଅଛି । ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସହର, ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ନଜର ରଖିବା ସହ ଚୋରି ରୋକିବା ପାଇଁ ଗଳି ଗଳିରେ ପହରା ମାରିବ ପୋଲିସ ।

Get real time updates directly on you device, subscribe now.