ପୁଣି ଆସିଲା ଛଟେଇ ଝଡ଼: ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ କମ୍ପାନୀ ଆମାଜନ ଛଟେଇ କରିବା ନେଇ ଖବର ମିଳିଛି । ଇ-କମର୍ସ କମ୍ପାନୀ ଆମାଜନ ୯ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିବ । ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ନେଇ ଗତ ଜାନୁଆରୀ ମାସରେ କମ୍ପାନୀ ଘୋଷଣା କରିଥିଲା ।

ତେବେ ଇ-କମର୍ସ କମ୍ପାନୀର ଏହି ଛଟେଇ ଆମାଜନ ୱେବ ସର୍ଭିସ (ଏଡବ୍ଲ୍ୟୁଏସ), ଆମାଜନ ପିପୁଲ ଏକ୍ସପରିଏନ୍ସ ଆଣ୍ଡ ଟେକ୍ନୋଲୋଜି (ପିଏକ୍ସଟି), ଟ୍ୱିଚ୍ ସେଗମେଣ୍ଟ ଓ ଆଡଭର୍ଟାଇଜିଂରେ କରାଯିବ ବୋଲି କୁହାଯାଉଛି । ତେବେ ଚଳିତ ମାସରେ କମ୍ପାନୀର ଦ୍ୱିତୀୟ ପର୍ଯ୍ୟାୟ ଯୋଜନା ସମାପ୍ତ ହୋଇଥିବା ବେଳେ ଏହା ମାଧ୍ୟମରେ ଅତିରିକ୍ତ ଛଟେଇ କରାଯିବ । ରଣନୀତିକ କ୍ଷେତ୍ରରେ ନୂଆ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀର ସିଇଓ ଆଣ୍ଡି ଜେସି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଫେସବୁକର ସ୍ୱାମୀତ୍ୱ କମ୍ପାନୀ ମେଟା ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଥିଲା । ମେଟା ପରେ ଏବେ ଆମାଜନ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ମଧ୍ୟ ମେଟା ନିଜର ୧୧ ହଜାରୁ ଅଧିକ ଷ୍ଟାଫକୁ ବିଦା କରିଥିଲା । ଖର୍ଚ୍ଚକାଟ କରିବା ପାଇଁ ଡିଜନେ ମଧ୍ୟ ଆସନ୍ତା ସପ୍ତାହରେ ପାଖାପାଖି ୪ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ସୋସିଆଲ ନେଟୱାର୍କିଂ ସାଇଟ ଟ୍ୱିଟର ମଧ୍ୟ ଅନେକ କର୍ମଚାରୀଙ୍କୁ ବିଦା କରିଥିଲା । ତେବେ ଆର୍ଥିକ ଅସ୍ଥିରତା କାରଣରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା ଆମାଜନ ସିଇଓ କହିଛନ୍ତି ।