fbpx

କୋରାପୁଟରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୮

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ତୁର୍କୀ-ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷାଧିକ ବାସଗୃହ ଧ୍ୱଂସ ହୋଇଥିଲା । ଉକ୍ତ ଭୂକମ୍ପର ସାମାନ୍ୟ ପ୍ରଭାବ ଭାରତର କିଛି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ଓଡ଼ିଶାରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ରାଜ୍ୟର କୋରାପୁଟ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜି ସକାଳ ୫.୫ ମିନିଟରେ କୋରାପୁଟ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଲୋକମାନେ ଭୋର ସମୟରେ ଉଠିବା ସମୟରେ ଝଟକାଗୁଡ଼ିକ ଦୋହଲୁଥିବା ଦେଖିବାକୁ ପାଇଥିଲେ । ଏଥିସହିତ ଘରର ଅନ୍ୟ ସବୁ ଜିନିଷପତ୍ର ମଧ୍ୟ ହଲୁଥିବା ଜଣାପଡ଼ିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ିଥିଲେ । ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ୩.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ କ୍ଷୟକ୍ଷତି ବାବଦରେ କୌଣସି ତଥ୍ୟ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ନିକଟରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତର ଭାବେ ଭୂକମ୍ପ ଦେଖିବାକୁ ମିଳୁଛି । ଗତମାସ ୨୮ ତାରିଖରେ ଆଫଗାନିସ୍ତାନ, ତାଜିକିସ୍ତାନରେ ସକାଳ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ସେହିପରି ୨୬ ତାରିଖରେ ଗୁଜରାଟରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ୨୨ ତାରିଖରେ ଦିଲ୍ଲୀ-ଏନସିଆରରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ୧୯ ତାରିଖରେ ଇନ୍ଦୋର ଓ ଅରୁଣାଚଳ ପ୍ରଦେଶରେ ଦ୍ୱିପ୍ରହର ୧୨.୫୪ରେ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.