fbpx
BJD SKY
BJD SKY

Yes Bankର ଗ୍ରାହକଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୬ ତାରିଖରେ ସମାପ୍ତ ହୋଇଯିବ Lock-in Period

BJD

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ୟେସ୍ ବ୍ୟାଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ସପ୍ତାହ ବ୍ୟାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୬ ତାରିଖରେ ୟେସ୍ ବ୍ୟାଙ୍କର ନିବେଶକଙ୍କ ପାଇଁ ଲକ-ଇନ୍ ପିରିଅଡ୍ ସମାପ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପର୍ଯ୍ୟାୟକ୍ରମେ ୟେସ୍ ବ୍ୟାଙ୍କରୁ ନିଜର ଶେୟାର ହ୍ରାସ କରିବାକୁ ବିଚାର କରୁଛି ।

ଗତ ୨୦୨୦ ବର୍ଷରେ ୟେସ୍ ବ୍ୟାଙ୍କରେ ଘୋଟାଲା ସାମ୍ନାକୁ ଆସିବା ପରେ ତାହାକୁ ନେଇ ସାରା ଦେଶରେ ହଡ଼କମ୍ପ ମଚି ଯାଇଥିଲା । ଫଳରେ ତ୍ୱରିତ ବେଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୟେସ ବ୍ୟାଙ୍କର ପୁରୁଣା ବୋର୍ଡକୁ ଭଙ୍ଗ କରି ଟେକଓଭର କରିନେଇଥିଲା । ଏହି ମାମଲା ସେହି ବର୍ଷ ମାର୍ଚ୍ଚ ମାସରେ ଘଟିଥିଲା । ଏହାପରେ ୟେସ ବ୍ୟାଙ୍କକୁ ଏହି ସମସ୍ୟାରୁ ମୁକୁଳାଇବା ପାଇଁ ପ୍ଲାନ ପ୍ରସ୍ତୁତ ହୋଇଥିଲା । ଦେଶର ବଡ଼ ବଡ଼ ବ୍ୟାଙ୍କ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

ଆର୍ଥିକ ସଙ୍କଟରୁ ୟେସ ବ୍ୟାଙ୍କକୁ ମୁକ୍ତ କରିବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହାବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଓ ଏଚଡିଏଫସି ଆଦି ବ୍ୟାଙ୍କମାନେ ୟେସ ବ୍ୟାଙ୍କରେ ପୁଞ୍ଜି ଲଗାଇଥିଲେ । ବେଲଆଉଟ ପ୍ଲାନର ନିୟମ ମୁତାବକ, ପୁଞ୍ଜି ଲଗାଉଥିବା ବିତ୍ତୀୟ ସଂସ୍ଥାଙ୍କ ପାଇଁ ମୋଟ କ୍ରୟ ଶେୟାରର ୭୫ ପ୍ରତିଶତ ତିନି ବର୍ଷ ପାଇଁ ହୋଲ୍ଡ କରିବା ଜରୁରୀ ଥିଲା । ରିଟେଲ ନିବେଶକଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା । ତେଣୁ ନିୟମ ଅନୁଯାୟୀ ୨୦୨୩ ମସିହା ମାର୍ଚ୍ଚ ୬ରେ ଏହି ଲକ-ଇନ୍ ପିରିଅଡ୍ ସମାପ୍ତ ହେବାକୁ ଯାଉଛି । ତେବେ ନିଜର ଶେୟାର ହ୍ରାସ କରିବାକୁ ହେଲେ ଆରବିଆଇର ଅନୁମତି ଜରୁରୀ । ତେଣୁ ଆଗକୁ କ’ଣ ଘଟିବ, ବ୍ୟାଙ୍କର ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ତାହା ଏବେ ଚର୍ଚ୍ଚାର ବିଷୟ ।

Get real time updates directly on you device, subscribe now.