fbpx

ଭୂକମ୍ପରେ ପୁଣିଥରେ ଥରିଲା ଲଦାଖ: ରିକ୍ଟର ସ୍କେଲରେ ତୀବ୍ରତା ୩.୪

ନୂଆଦିଲ୍ଲୀ: ସକାଳୁ ସକାଳୁ ପୁଣିଥରେ ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଲଦାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୩.୪ ରହିଥିବା ରେକର୍ଡ କରାଯାଇଛି । ଦେଶର ସୁଉଚ୍ଚରେ ରହିଥିବା ଲଦାଖରେ ଭୂମିକମ୍ପ ଅନୁଭବ ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ବାରମ୍ବାର ଏହି ଅଞ୍ଚଳରେ ଭୂକମ୍ପ ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଲଦାଖରେ ଆଜି ସକାଳୁ ୩.୪ ତୀବ୍ରତାର ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନେଇ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଅଧିକାରୀମାନେ କହିଛନ୍ତି ଯେ, ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ)ଙ୍କୁ ତରଫରୁ କୁହାଯାଇଛି ଯେ, ମଙ୍ଗଳବାର ସକାଳ ୫.୩୯ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାର କେନ୍ଦ୍ର ଲେହରେ ୫ କି.ମି ଗଭୀର ରହିଥିବା ଜଣାଯାଇଛି । ଲଦାଖ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ଭୂକମ୍ପର ବିପଦ ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଅଂଶକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଏହି ତାଲିକାରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭୂକମ୍ପ ଜୋନ୍ ୪ ଏବଂ ୫ ନମ୍ବରରେ ସ୍ଥାନ ପାଇଛି । ଅର୍ଥାତ୍ ଏହି ଅଞ୍ଚଳରେ ଭୂକମ୍ପ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ । ଏହି ଅଞ୍ଚଳରେ ଭୂକମ୍ପ କମ୍ପନ ପ୍ରାୟତଃ ଅନୁଭୂତ ହୁଏ । ଏହା ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକ ବିପଦ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.