Tonga Earthquake: ମିଆଁମାର ପରେ ଏହି ସ୍ଥାନରେ ହେଲା ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 7.0
ଗୋଟିଏ ନଭୁଲୁଣୁ ଆଉ ଗୋଟିଏ ଭୂକମ୍ପ ।
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂକମ୍ପ । ଆଜି ସନ୍ଧ୍ୟା 5ଟା 48 ମିନିଟରେ ଏହା ହୋଇଥିବା ବେଳେ ରିକ୍ଟର ସ୍କେଲରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଛି ।
ସୁନାମୀ ଆଲର୍ଟ- ଟୋଙ୍ଗାର ମୁଖ୍ୟ ଦ୍ୱୀପରୁ ପ୍ରାୟ 100 କିଲୋମିଟର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି USGS କହିଛି । ପ୍ରଶାନ୍ତ ମହାସାଗର ସୁନାମି କେନ୍ଦ୍ର ଏକ ସତର୍କତା ଜାରି କରି କହିଛି ଯେ ଭୟଙ୍କର ଲହରୀ ଭୂମିକମ୍ପ କେନ୍ଦ୍ରଠାରୁ 300 କିଲୋମିଟର ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିପାରେ । ବର୍ତ୍ତମାନ କୌଣସି ପ୍ରକାରର କ୍ଷତିର ଆକଳନ କରାଯାଇ ନାହିଁ ।
ମିଆଁମାରରେ ଆତଙ୍କ ମଚାଇଥିଲା ଭୂକମ୍ପ- ଗତ ଦୁଇଦିନ ତଳେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବହୁମହଲା କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମିଆଁମାରରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି । ବର୍ତ୍ତମାନ ମିଆଁମାରରେ ମୃତ୍ୟୁ ସଂଖ୍ୟା ୧୭୦୦ ଅତିକ୍ରମ କରିଛି । କୁହାଯାଉଛି ଯେ ଭଗ୍ନାବଶେଷ ହଟାଯିବା ସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।