fbpx

ବର୍ଷା ଦିନେ ଘର ଅଗଣାରେ ସିଉଳି ହୋଇଥିଲେ କେମିତି ସହଜରେ କରିବେ ସଫା?

ନୂଆଦିଲ୍ଲୀ: ବର୍ଷା ଋତୁରେ ଲଗାତର ବର୍ଷା ହେବାରୁ ସାଧାରଣତଃ ଘର ଅଗଣା, ଦାଣ୍ଡ ବାରଣ୍ଡା ତଥା ପାହାଚରେ ସିଉଳି ହୋଇଯାଇଥାଏ । ଅନେକ ସମୟରେ ଏହି ସିଉଳି ଆମ ପାଇଁ ବିପଦର କାରଣ ହୋଇଥାଏ । ସିଉଳିରେ ଗୋଡ ଖସି ପଡିବା ଓ ହାତଗୋଡ ଭାଙ୍ଗିବା ବା ମୁଣ୍ଡ ଫାଟିବା ପରି ଘଟଣା ଘଟିଥାଏ । ତେଣୁ ସିଉଳି ସଫାକରିବାକୁ ଆମେ ଅନେକ କାମ କରିଥାଉ । କିନ୍ତୁ ସିଉଳି ସଫା କରିବା ଏତେ ସହଜ ହୋଇନଥାଏ । ଆମ ପାଇଁ ଚିନ୍ତାର କାରଣ ହୋଇଥାଏ । ତେବେ ଏମିତି କିଛି ସହଜ ଉପାୟ ଅଛି, ଯାହାକୁ ଆପଣେଇ ସିଉଳି ସମସ୍ୟାରୁ ମୁକୁଳି ପାରିବା ।

ଗୋଟିଏ ବାଲ୍ଟି ଗରମ ପାଣିରେ ଅମୋନିଆ ଲିକ୍ୟୁଡ ମିଳାନ୍ତୁ ଓ ଏହାକୁ ଭଲ ଭାବେ ଗୋଳାଇ ସିଉଳି ହୋଇଥିବା ସ୍ଥାନରେ ଢାଳିଦିଅନ୍ତୁ । ଏଥିସହ ସର୍ଫ ମଧ୍ୟ ପକାଇ ପାରିବା । ୫ ମିନିଟ ପରେ ଏହି ସିଉଳି ସଫା କରିବା ସହଜ ହୋଇଯିବ । ଏକ ବଡ ବ୍ରସ ନେଇ ସିଉଳି ହୋଇଥିବା ସ୍ଥାନକୁ ରଗଡି ବାହାର କରିପାରିବା । ତେବେ ଏହି ଲିକ୍ୟୁଡିର ଗନ୍ଧ ଉକ୍ରଟ ହୋଇଥିବାରୁ ଏହାକୁ ଖୋଲା ସ୍ଥାନରେ ବ୍ୟବହାର କରିବା ନିରାପଦ ।

ସେହିପରି ୨ କପ ସଫା ସିରକା ସହ ୧ କପ ବେକିଂ ସୋଡା ମିଶାଇ ତାହାକୁ ଏକ ଲିଟର ପାଣିରେ ଭଲଭାବେ ମିଶାଇ ଦିଅନ୍ତୁ । ଆଉ ଏହି ମିଶ୍ରଣକୁ ସିଉଳି ସ୍ଥାନରେ ସ୍ପ୍ରେ କରି ୫ ମିନିଟ ଛାଡି ଦିଅନ୍ତୁ । ଏହା ପରେ ବ୍ରସରେ ସିଉଳି ସ୍ଥାନକୁ ସଫା କରନ୍ତୁ ।

ଆଉ ଏକ ସହଜ ଉପାୟ ଆପଣାଇ ହେବ ସିଉଳି ସଫା କରିବାକୁ । ସିଉଳି ହୋଇଥିବା ସ୍ଥାନରେ ହାଇଡ୍ରୋଜେନ ପେରୋକ୍ସାଇଡ ସ୍ପ୍ରେ କରି ୧୫-୨୦ ମିନିଟ ଛାଡିଦେବା । ତାପରେ ଏକ ବ୍ରସ ନେଇ ସେହି ସ୍ଥାନକୁ ଘଷିଲେ, ସିଉଳି ସହଜରେ ସଫା ହୋଇଯିବ ।

Get real time updates directly on you device, subscribe now.