ପ୍ରତି ଭାରତୀୟଙ୍କ ରୋଷେଇ ଘରେ କଞ୍ଚାଲଙ୍କା ଯେମିତି ହେଲେ ରହିଥିବ । ବିନା କଞ୍ଚାଲଙ୍କାରେ ଭାରୀତୀୟଙ୍କ ଘରେ ରୋଷେଇ ହେବା ଯେପରି ଅସମ୍ଭବ । ଏହାସହିତ ସମସ୍ତଙ୍କ ଡାଇନିଂ ଟେବୁଲରେ ଲୁଣ ଓ କଞ୍ଚାଲଙ୍କା ନିହାତି ସଜା ହୋଇ ରହିଥାଏ । ଖାଦ୍ୟର ସ୍ୱାଦକୁ ବଢାଇ ଦେଇଥାଏ କଞ୍ଚାଲଙ୍କା । କିନ୍ତୁ ବହୁ ଲୋକ ରାଗ ହୋଇଥିବା କାରଣରୁ ଏହାକୁ ଖାଇ ନଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ଲାଗି କେତେ ଲାଭଦାୟକ । ଏଥିରେ ପୋଟାସିୟମ, ଆଇରନ, କପର, ଭିଟାମିନ ବି ୬, ଭିଟାମିନ ଏ, ଭିଟାମିନ ସି ପରି ପୋଷକତତ୍ତ୍ୱ ଭରପୁର ହୋଇ ରହିଛି ଯାହା ସ୍ୱାସ୍ଥ୍ୟ ଓ ତ୍ୱଚା ଉଭୟ ଲାଗି ଜରୁରୀ । ଏହି କ୍ରମରେ ଆସନ୍ତୁ ଜାଣିବା କଞ୍ଚାଲଙ୍କାର ଫାଇଦା ବିଷୟରେ ।
୧-କଞ୍ଚାଲଙ୍କା ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ଯନ୍ତ୍ରଣାରୁ ଆରାମ ମିଳିପାରେ । ବିଶେଷକରି ଆର୍ଥରାଇଟିସ ପରି ଯନ୍ତ୍ରଣା କ୍ଷେତ୍ରରେ ଏହା ବିଶେଷ ଲାଭଦାୟୀ ହୋଇଥାଏ । ଏଥିରେ ଥିବା କ୍ୟାପସାଇସିନ୍ ନାମକ ଯୌଗିକ ଯନ୍ତ୍ରଣା ନିବାରକୁ ଭାବରେ କାମ କରିଥାଏ ।
୨-କଞ୍ଚା ଲଙ୍କା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ନିୟମିତ ଭାବରେ କଞ୍ଚାଲଙ୍କା ଖାଇଲେ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସରାଇଡ୍ ସ୍ତର କମ୍ ହୋଇଥାଏ । ଫଳରେ ଏଥେରୋସ୍କେଲୋରୋସିସ ପରି ରୋଗରୁ ଆପଣ ନିଜକୁ ସୁରକ୍ଷା ଦେଇପାରିବେ । ଏହାଦ୍ୱାରା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇବ ।
୩-ଥଣ୍ଡା, କଫ ସମସ୍ୟା ଦୂର ପାଇଁ ମଧ୍ୟ ଆପଣ କଞ୍ଚା ଲଙ୍କା ଖାଆନ୍ତୁ । ଏଥିରେ ଥିବା କ୍ୟାପସାଇସିନ ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ । ଫଳରେ ଶରୀରରେ ଜମି ଯାଇଥିବା କଫ ପତଳା ହୋଇ ବାହାରକୁ ଆସିବାରେ ସହାୟକ ହୋଇଥାଏ ।
୪-ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହିଁଛନ୍ତି ତ ଖାଦ୍ୟରେ ପ୍ରତିଦିନ କଞ୍ଚାଲଙ୍କା ନିହାତି ସାମିଲ କରନ୍ତୁ । ଏହା ଖାଇବା ଦ୍ୱାରା ମେଟାବଲିଜିମ୍ ପ୍ରକ୍ରିୟା ବୃଦ୍ଧି ପାଇଥାଏ ଯେଉଁଥିରେ ଶରୀରରେ ଜମା ହୋଇଥିବା ଚର୍ବି କ୍ଷୟ ହୋଇଥାଏ ।
୫-ନିୟମିତ କଞ୍ଚା ଲଙ୍କା ଖାଇବା ଦ୍ୱାରା ତ୍ୱଚାରେ କୋଲାଜେନ୍ ସିନ୍ଥେସିସ୍ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଏହାଦ୍ୱାରା ଆପଣଙ୍କ ତ୍ୱଚା ଚମକିବା ସହ ସୁସ୍ଥ ରହିଥାଏ ।
୬-କଞ୍ଚାଲଙ୍କା ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ । କାରଣ ଏଥିରେ ଡାଏଟରୀ ଫାଇବର ଅଧିକ ମାତ୍ରାରେ ରହିଛି । ଏହା କୋଷ୍ଠ କାଠିନ୍ୟ ସମସ୍ୟା ବି ଦୂର କରିଥାଏ ।