fbpx

୫ ରାଜ୍ୟର ନିର୍ବାଚନକୁ ନେଇ ବଡ ଘୋଷଣା କଲେ ନିର୍ବାଚନ କମିଶନ: ପ୍ରଥମ ଥର ଭୋଟ ଦେବେ ୨୪.୯ ଲକ୍ଷ ଭୋଟର

ନୂଆଦିଲ୍ଳୀ: ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ବଡ ଘୋଷଣା କରିଛନ୍ତି । ତେବେ ଭୋଟର ଏବଂ ଭୋଟର ସୁରକ୍ଷା ନିର୍ବାଚନ କମିଶନଙ୍କ ପ୍ରାଥମିକତା ରହିବ ବୋଲି କମିଶନ ଘୋଷଣା କରିଛନ୍ତି । ଓମିକ୍ରନ ଭାରିଆଣ୍ଟର ଭୟାବହତା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଛି । ସମୁଦାୟ ୬୯୦ଟି ଆସନରେ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭୋଟ ଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଏବଂ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ସମୁଦାୟ ୧୮.୨ କୋଟି ଭୋଟର ଭୋଟଦାନ କରିବା ସହିତ ୬୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବରୁ ଗୋଟିଏ ବୁଥରେ ସର୍ବାଧିକ ୧୫୦୦ ଭୋଟର ଭୋଟ ଦେଇ ପାରୁଥିବା ବେଳେ ବର୍ତ୍ତମାନ ତାକୁ ୧୨୦୦କୁ ହ୍ରାସ କରାଯାଇଛି ।

ଏହି କାରଣରୁ ୩୦୩୩୦ଟି ବୁଥ୍ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । ଏହାକୁ ମିଶାଇ ୫ଟି ଯାକ ରାଜ୍ୟରେ ୨ ଲକ୍ଷ ୧୫ ହଜାର ୩୬୮ରେ ପହଞ୍ଚିଛି । ସମୁଦାୟ ବୁଥ୍ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ଘଟିିଛି । ୫ଟି ଯାକ ରାଜ୍ୟରେ ୨୪.୯ ଲକ୍ଷ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡିଛି । ସେହିପରି ଭୋଟର ସଂଖ୍ୟା କମ କରାଯିବା ପରେ ପ୍ରତି ବୁଥରେ ହାରାହାରି ଭୋଟର ସଂଖ୍ୟା ଗୋଆରେ ୬୭୨, ମଣିପୁରରେ ୬୮୮, ଉତ୍ତରାଖଣ୍ଡରେ ୬୯୯, ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୮୬୨ ରହିଛି । ଜାନୁୟାରୀ ୧୫ ଯାଏଁ ରୋଡ ଶୋ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବିଜୟ ଶୋଭାଯାତ୍ରା ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି ।

Get real time updates directly on you device, subscribe now.