fbpx

ଉଦ୍ଧବଙ୍କ ‘ମଶାଲ’ର ମୁକାବିଲା କରିବ ସିନ୍ଦେଙ୍କ ଢାଲ-ତଲଓ୍ଵାର ? ଇସିଙ୍କୁ ପଠାଗଲା ତିନି ଚିହ୍ନ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ନିର୍ବାଚନ ଆୟୋଗ ଶିବସେନାର ଚିହ୍ନ ଧନୁ ଏବଂ ତୀରକୁ ଅଚଳ କରି ଦେଇଛନ୍ତି। ଆଗାମୀ ନିର୍ବାଚନ ପାଇଁ ନୂତନ ଚିହ୍ନର ପ୍ରସ୍ତାବ ଦେବାକୁ ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀଙ୍କୁ କହିଥିଲେ। ଏହି କ୍ରମରେ ଗତକାଲି ଶିବସେନାଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ମିଳି ଯାଇଛି। ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ନିଜର ନୂତନ ପାର୍ଟି ବାଲାସାହେବଙ୍କ ଶିବସେନା ପାଇଁ ତିନୋଟି ନିର୍ବାଚନୀ ଚିହ୍ନର ପ୍ରସ୍ତାବ ଦିଆଯାଇଛି। ଏ ତିନି ଚିହ୍ନ ହେଉଛି ଢାଲ- ତଲଓ୍ଵାର, ବରଗଛ ଏବଂ ସୂର୍ଯ୍ୟ। ଏବେ ଦେଖିବା ବାକି ରହିଲା ଯେ, ସିନ୍ଦେ ଗୋଷ୍ଠୀଙ୍କୁ ଆୟୋଗ କେଉଁ ଚିହ୍ନ ଦେଉଛନ୍ତି।

ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନୂତନ ପାର୍ଟିର ନାମକୁ ନିର୍ବାଚନ ଆୟୋଗ ମଞ୍ଜୁରୀ ଦେଇଥିଲେ। ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ନୂତନ ପାର୍ଟିର ନାମ ବାଲାସାହେବବାଞ୍ଚା ଅର୍ଥାତ ବାଲାସାହେବଙ୍କ ଶିବସେନା। ଅନ୍ୟପଟେ ଉଦ୍ଧବ ଠାକରେଙ୍କ ପାର୍ଟିର ନାମ ଉଦ୍ଧବ ବାଲାସାହେବ ଠାକରେ ରହିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ନିର୍ବାଚନୀ ଚିହ୍ନ ଭାବେ ମଶାଲ ଆବଣ୍ଟିତ କରିଛନ୍ତି।

ଏକନାଥ ସିନ୍ଦେ ଗୋଷ୍ଠୀ ପାଇଁ ପାର୍ଟି ଚିହ୍ନ ଆବଣ୍ଟିତ କରାଯାଇନଥିଲା। କାରଣ ତାଙ୍କ ପକ୍ଷରୁ ଯେଉଁ ଚିହ୍ନ ପ୍ରସ୍ତାବ ଦିଆଯାଇଥିଲା ତାହା ଧାର୍ମିକ ପ୍ରତୀକ ଥିଲା। ଆୟୋଗଙ୍କ କହିବା କଥା ଏମିତି ଚିହ୍ନ ପଠାନ୍ତୁ ଯାହା ଧାର୍ମିକ ପ୍ରତୀକ ହୋଇନଥିବ। ନିର୍ବାଚନ ଆୟୋଗଙ୍କ ଆଦେଶ ପରେ ଏକନାତ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ତିନି ନୂତନ ଚିହ୍ନର ପ୍ରସ୍ତାବ ଦିଆଯାଇଛି।

Get real time updates directly on you device, subscribe now.