fbpx

ଅଭିମାନ ଆଗରେ ବନ୍ଧା ପଡ଼ିଲା ଜୀବନ: ସାନ ଭଉଣୀର ଅଳି-ଅଝଟ ବଡ଼ ଭଉଣୀ ପାଇଁ ସାଜିଲା କାଳ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଅତି ସାଧାରଣ କଥାରୁ କାହାର ନା କାହାର ଜୀବନ ଚାଲିଯାଇଥାଏ । ଏପରି ସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଛଡ଼ା କାହା ପାଖରେ କିଛି ବାଟ ନଥାଏ । ତେବେ ଗେଲ ବସରରେ ବଡ଼ କରିଥିବା ଛୋଟ ଝିଅ ଯେ ଏମିତି କରିବ ତାହା କେହି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ସାମାନ୍ୟ ଆଇସକ୍ରିମ ଖାଇବାକୁ କେନ୍ଦ୍ର କରି ଗୋଟିଏ ୧୧ ବର୍ଷୀୟା ଝିଅ ଆଜି ନିଜ ଜୀବନକୁ ସବୁଦିନ ପାଇଁ ଶେଷ କରିଦେଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରେ ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦୁଇ ଆଞ୍ଜୁଳା ଗହମ ବିକ୍ରି କରି ଗୋଟିଏ ୧୧ ବର୍ଷୀୟା ଝିଅ ଆଇସକ୍ରିମ କିଣି ଖାଇଦେଇଥିଲା । ଏହା ଜାଣିବା ପରେ ୯ ବର୍ଷୀୟା ତା’ର ସାନ ଭଉଣୀ ବାପାଙ୍କୁ କହିଦେବ ବୋଲି ଧମକ ଦେଇଥିଲା । ବାସ୍ ଏତିକି କଥାରେ ଡରିଯାଇଥିଲା ବଡ଼ ଭଉଣୀ । ଆଉ ବାପା କାଳେ ବାଡ଼େଇବେ ସେଥିପାଇଁ ସେ ଭୟରେ ଆତ୍ମହତ୍ୟା କରିଦେଇଥିଲା । ଯେଉଁ ବୟସରେ ପିଲାମାନେ ବାପା-ମାଆଙ୍କ ନିକଟରେ ଆଇସକ୍ରିମ ଖାଇବାକୁ ଅଳି କରିଥାନ୍ତି, ଆଜି ସେଇ ବୟସରେ ବାପାଙ୍କ ଡରରେ ଜଣେ ଜୀବନ ହାରି ଦେଇଛି ।

ବିଧନୁ ଅଞ୍ଚଳର ଭବାନୀପୁର ଗ୍ରାମରେ ଏହି ଘଟଣା ଘଟିଛି । ପିତା-ମାତା ଦ୍ୱିପ୍ରହର ସମୟରେ ଜମିକୁ ଗହମ କାଟିବାକୁ ଚାଲିଯାଇଥିଲେ । ଏହି ସମୟରେ ଘର ପାଖକୁ ଆଇସକ୍ରିମ ବିକ୍ରି ବାଲା ଆସିଥିଲା । ତେବେ ବଡ଼ ଝିଅଟି ଦୁଇ ଆଞ୍ଜୁଳା ଗହମ ଦେଇ ଗୋଟିଏ ଆଇସକ୍ରିମ କିଣିଥିଲା । ମାତ୍ର ଏହି ସମୟରେ ସାନ ଭଉଣୀ ଆସି ପହଞ୍ଚି ଯାଇଥିଲା ଓ ସେ ଆଇସକ୍ରିମ ଖାଇବ ବୋଲି ଅଳି କରିଥିଲା । ମାତ୍ର ସେତେବେଳକୁ ଆଇସକ୍ରିମ ବାଲା ଚାଲିଯାଇ ଥିବାରୁ ପରେ ଦେବ ବୋଲି ବଡ଼ ଭଉଣୀ କହିଥିଲା । ମାତ୍ର ବୁଝି ନଥିଲା ସାନଭଉଣୀ ଓ ସେ ବାପାଙ୍କ ନିକଟରେ ଅଭିଯୋଗ କରିବ ବୋଲି ଧମକ ଦେଇଥିଲା । ଆଉ ଏହା ପରେ ସବୁକିଛି ସରିଯାଇଥିଲା । ପିତାମାତା ଫେରିବା ପରେ ଝୁଲନ୍ତା ଅବସ୍ଥାରେ ଝିଅର ମୃତଦେହ ଉଦ୍ଧାର କରିଥିଲା ।

ଏଠାରେ କହିବା କଥା, ଦୁଇ ଆଞ୍ଜୁଳା ଗହମ କାହା ପାଇଁ କିଛି ହୋଇ ନପାରେ ଆଉ କାହା ପାଇଁ ବହୁତ ବେଶି । ଗରିବ ଘରର ପିଲାମାନେ ଜନ୍ମରୁ ଦାରିଦ୍ର୍ୟର କଷାଘାତରେ ନିଷ୍ପେସିତ ହୋଇ ଆସିଥାନ୍ତି । ତେଣୁ ସେମାନଙ୍କ ପାଇଁ ଗୋଟିଏ ଆଇସକ୍ରିମର ମୂଲ୍ୟ ୧୦, ୨୦…୫୦ ବହୁତ କିଛି ହୋଇଥାଏ । ଧନୀ-ଗରିବଙ୍କ ପାଇଁ ଟଙ୍କାର ମୂଲ୍ୟ ଅଲଗା ଅଲଗା ହୋଇଥାଏ ।

Get real time updates directly on you device, subscribe now.