CHARIDHAM

ସଇତାନ ସାଜିଲେ ପୁଅ; ମା’କୁ ଗଛରେ ବାନ୍ଧି ଲଗାଇଦେଲେ ନିଆଁ, ଚିତ୍କାର କରି କରି ଆଖିବୁଜିଲେ ମହିଳା

ନୂଆଦିଲ୍ଲୀ: ମା’-ବାପା ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି। ଈଶ୍ୱର ଯଦି କାହା ମାଧ୍ୟମରେ ଆମକୁ ଦୁନିଆକୁ ପଠାଇବେ ସେ ହେଉଛି ମା’। ଏଭଳି କୌଣସି ବ୍ୟକ୍ତି ନାହିଁ, ଯିଏ କହିପାରିବ ଯେ ବିନା ମା’ରେ ସେ ଦୁନିଆକୁ ଆସିଛି। ତେଣୁ ମା’ଙ୍କୁ ଭକ୍ତି କରିବା, ସମ୍ମାନ ଜଣାଇବା ଈଶ୍ବରଙ୍କୁ ଭକ୍ତି ଓ ସମ୍ମାନ କରିବା ସହ ସମାନ। ହେଲେ ଆଜିର ମଣିଷ ନିଜ ସ୍ୱାର୍ଥ ପାଇଁ ଜନ୍ମଦାତ୍ରୀ ମା’କୁ ବି ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି।

ଗତ ସପ୍ତାହରେ ତ୍ରିପୁରାରେ ଘଟିଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପଶ୍ଚିମ ତ୍ରିପୁରାରେ ଜଣେ ୬୨ ବର୍ଷୀୟ ବୃଦ୍ଧା ମା’ଙ୍କୁ ଦୁଇ ପୁଅ ଗଛରେ ବାନ୍ଧି ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ପୁଅମାନଙ୍କୁ ଗିରଫ କରି ପାରିବାରିକ କଳହରୁ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରୁଛି। ଚମ୍ପକନଗର ଥାନା ଅନ୍ତର୍ଗତ ଖମାରବାଡ଼ିରେ ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ପ୍ରାୟ ଦେଢ଼ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଦୁଇ ପୁଅଙ୍କ ସହ ରହୁଥିଲେ। ତାଙ୍କର ତୃତୀୟ ପୁଅ ଅଗରତାଲାରେ ରହୁଛନ୍ତି। ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୋଡ଼ି ଯାଇଥିବା ମୃତଦେହକୁ ଗଛରୁ ଖୋଲି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଏଥି ସହିତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ, ମୃତ ମହିଳାଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଛି।