fbpx

ନୂଆ ଆଇନ ଅନୁସାରେ ଆସନ୍ତା ଫେବୃଆରୀରେ ନିଯୁକ୍ତି ପାଇବେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି, ସେବା, ସର୍ତ୍ତ ଓ ଅବଧି ସହ ଜଡ଼ିତ ବିଲ ୨୦୨୩ ଲୋକସଭାରେ ପାସ୍ ହୋଇ ଯାଇଛି । ଚଳିତ ମାସ ପ୍ରାରମ୍ଭରେ ରାଜ୍ୟ ସଭାରେ ଏହାକୁ ମଞ୍ଜୁରୀ ମିଳିଥିବା ବେଳେ ବିରୋଧୀମାନେ ଏହାକୁ ବିରୋଧ କରିଥିଲେ । ଭାରତର ନିର୍ବାଚନ କମିଶନଙ୍କ ୩ ସଦସ୍ୟଙ୍କୁ ନିଯୁକ୍ତି ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ ତାହା ହେଉଛି ଉକ୍ତ ବିଲର ଉଦ୍ଦେଶ୍ୟ ।

ତେବେ ଏହା ମଧ୍ୟରେ ଏହି ବିଲକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ନୂଆ ଆଇନ ଅନୁସାରେ ଆସନ୍ତା ଫେବୃଆରୀ ମାସରେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି । ତେବେ ଏହା ସିଧାସଳଖ ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିପରୀତ । ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ପ୍ୟାନେଲ ନିର୍ବାଚନ କମିଶନରଙ୍କ ଚୟନ କରିବାକୁ ଶୀର୍ଷ କୋର୍ଟ କହିଥିଲେ । ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଗଠିତ ଜଣିକିଆ ସାମ୍ବିଧାନିକ ବେଞ୍ଚ ଗତ ମାର୍ଚ୍ଚ ମାସରେ ଏନେଇ ଶୁଣାଣି କରିଥିଲେ । ସଂସଦରେ ଏହାକୁ ନେଇ କୌଣସି ଆଇନ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଏହି କମିଟି ନିର୍ବାଚନ କମିଶନରଙ୍କ ନିଯୁକ୍ତି କରିବାକୁ ବେଞ୍ଚ କହିଥିଲେ ।

ତେବେ ନୂଆ ବିଲରେ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କୁ ଚୟନ କମିଟିରୁ ହଟାଇ ଦିଆଯାଇଛି । ସେହି ବିଲରେ ଏକ ଧାରା ରହିଛି, ଯେଉଁଥିରେ କି ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କୁ ସେମାନଙ୍କ କାର୍ଯ୍ୟକାଳ ସମୟରେ କିଛି ଆକ୍ସନ ସହ ଜଡ଼ିତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବାଦ୍ ଦିଆଯାଇଛି । ଏଥିସହିତ ପୂର୍ବ ଓ ବର୍ତ୍ତମାନର ସିଇସି-ଇସିଙ୍କ ବିରୋଧରେ ନାଗରିକ ବା ଅପରାଧିକ କାର୍ଯ୍ୟାନୁଷ୍ଠାନର ବିଚାର ଅଦାଲତରେ ହୋଇ ପାରିବ ନାହିଁ ବୋଲି ନୂଆ ବିଲରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.