fbpx

ଜଣେ ନୂଆ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଦେଖିବ ସାରା ଦୁନିଆ, ପିତାଙ୍କ ପଦାଙ୍ଗ ଅନୁସରଣ କଲେ ୧୧ ବର୍ଷିୟ ଜୁନିୟର

ନୂଆଦିଲ୍ଲୀ: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ ବିଶ୍ୱର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ଭାବେ ଜଣାଶୁଣା । ତେବେ ନିକଟରେ ରୋନାଲଡୋଙ୍କ ପୁତ୍ର କ୍ରିଷ୍ଟିଆନୋ ଜୁନିୟର ତାଙ୍କ ପିତାଙ୍କ ପଦାଙ୍ଗ ଅନୁସରଣ କରିଛନ୍ତି । କ୍ରିଷ୍ଟିଆନୋ ଜୁନିୟର ମାଞ୍ଚେଷ୍ଟର ୟୁନାଇଟେଡରେ ସାମିଲ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସାତ ନମ୍ବର ସାର୍ଟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ରୋନାଲଡୋ ତାଙ୍କର କ୍ୟାରିୟରରେ ୫ ଥର ବାଲନ ଡି’ଅର ପୁରସ୍କାର ଜିତିବା ସହ ଇଂଲଣ୍ଡ, ସ୍ପେନ ଓ ଇଟାଲି ଭଳି ବିଭିନ୍ନ ଦେଶରୁ ଅନେକ ଟ୍ରଫି ହାସଲ କରିଛନ୍ତି । ତେବେ ପିତାଙ୍କ ପରି କ୍ରିଷ୍ଟିଆନୋ ଜୁନିୟର ଫୁଟବଲ ମୈଦାନର କିପରି ଯାଦୁ ଦେଖାଉଛନ୍ତି ତାହାକୁ କ୍ରୀଡ଼ାପ୍ରେମୀ ଚାହିଁ ବସିଛନ୍ତି ।

ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗଜ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରିଷ୍ଟିଆନୋ ଜୁନିୟର ଜୁଭେଣ୍ଟସ ଆକାଡେମୀ ସିଷ୍ଟମରେ ୨ ବର୍ଷ ଟ୍ରେନିଂ ନେବା ପରେ ମାଞ୍ଚେଷ୍ଟର ସହ ଅନୁବନ୍ଧିତ ହୋଇଛନ୍ତି । ଏନେଇ ରୋନାଲଡୋ କହିଛନ୍ତି ଯେ, ଏନେଇ ମୁଁ ତାକୁ କେବେ ଚାପରେ ରଖିନାହିଁ । ତା’ର ଯାହା ଇଚ୍ଛା ସେ ତାହା କରିବ । ମୁଁ ତାକୁ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ।

ତେବେ କ୍ରିଷ୍ଟିଆନୋ ଜୁନିୟର ସାତ ନମ୍ବର ସାର୍ଟ ଫିନ୍ଧିବା ନିଶ୍ଚିତ ଏକ ସ୍ମରଣୀୟ ମୁହୂର୍ତ୍ତ । କାରଣ ମାଞ୍ଚେଷ୍ଟର ୟୁନାଇଟେଡର ଅନେକ କିମ୍ବଦନ୍ତୀଙ୍କ ସହ ରୋନାଲଡୋ ମଧ୍ୟ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିସାରିଛନ୍ତି । ଏହି ଆଇକନିକ୍ ଜର୍ସିକୁ ଜର୍ଜ ବେଷ୍ଟ, ବ୍ରିଆନ ରୋବସନ, ଏରିକ କାଣ୍ଟୋନା, ଡେଭିଡ୍ ବେକହାମଙ୍କ ପରି ଖେଳାଳିମାନେ ପରିଧାନ କରିସାରିଛନ୍ତି । ଏହି ୭ ନମ୍ବର ଜର୍ସି ପିନ୍ଧି ରୋନାଲଡୋ ଓଲ୍ଡ ଟ୍ରାଫୋର୍ଡରେ ୧୩୨ଟି ଗୋଲ ସ୍କୋର କରିସାରିଛନ୍ତି । ସୂଚନାଯୋଗ୍ୟ ଯେ, ଇନଷ୍ଟାଗ୍ରାମରେ ୪୦୦ ମିଲିୟନ ଫଲୋଅର୍ସ ମାଇଲଖୁଣ୍ଟ ଅତିକ୍ରମ କରିବାରେ ରୋନାଲଡୋ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।

Get real time updates directly on you device, subscribe now.