fbpx
BSKY SKY
BSKY SKY

ଚନ୍ଦ୍ରମାରେ ଚମତ୍କାର… ପୁଣିଥରେ ଆକ୍ଟିଭ ହେଲା Chandrayaan: ଚନ୍ଦ୍ରପୃଷ୍ଠରୁ ପଠାଉଛି ଫଟୋ

BSKY

ନୂଆଦିଲ୍ଲୀ: ୨୦୨୩ ମସିହାରେ ଭାରତର ଚନ୍ଦ୍ରଯାନ- ୩ ସଫଳତା ପରେ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଲ୍ୟାଣ୍ଡ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତର ଅନ୍ତରୀକ୍ଷ ଏଜେନ୍ସି । ତେବେ ଚନ୍ଦ୍ରମାରେ କିଛି ଦିନ ସମୟ କାଟିବା ପରେ ଏହା ଡି ଆକ୍ଟିଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ଏକ ଚନ୍ଦ୍ରଯାନ ଆକଟିଭ ହେବା ସହିତ ଚନ୍ଦ୍ରପୃଷ୍ଠରୁ ସିଗନାଲ ଦେଉଥିବା ଜାଣିବାକୁ ମିଳିଛି । ଏହାସହିତ ଚନ୍ଦ୍ରମାର ଫଟୋ ମଧ୍ୟ ପାଠାଉଛି ଏହି ଚନ୍ଦ୍ରଯାନ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଚନ୍ଦ୍ରପୃଷ୍ଠରୁ ସିଗନାଲ ଦେଉଥିବା ଏହି ଚନ୍ଦ୍ରଯାନ ଜାପାନର ବୋଲି ଜଣାଯାଇଛି ।

ଭାରତର ମୁନ୍ ମିଶନ୍ ପରେ ଜାପାନ ମଧ୍ୟ ଏକ ମୁନ୍ ମିଶନ୍ ଲଞ୍ଚ୍ କରିଛି । ତେବେ ଲାଣ୍ଡିଂ ସଠିକ ଭାବରେ ହୋଇ ନଥିବାରୁ ଏହା ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ତୃତୀୟ ଥର ପାଇଁ ଚମତ୍କାର କରି ଦେଖାଇଛି ଜାପାନର ଏହି ଚନ୍ଦ୍ରଯାନ । ଜାପାନ୍ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ଅନୁସାରେ, ଏହାର ସ୍ନାଇପର ଲାଣ୍ଡର ବା ଜାପାନର ଚନ୍ଦ୍ରଯାନ ତୃତୀୟ ଥର ପାଇଁ ଆକ୍ଟିଭ ହୋଇଛି । ଏହାସହିତ ଚନ୍ଦ୍ରପୃଷ୍ଠରୁ ଏହା ଫଟୋ ପଠାଉଥିବା ମଧ୍ୟ ଜାଣିବାକୁ ମିଳିଛି । ଚନ୍ଦ୍ରମାରେ ୧୪ ଦିନ ଅନ୍ଧାର ରହୁଥିବା ବେଳେ ସେଠାରେ ତାପମାତ୍ରା ୧୩୩ ଡିଗ୍ରୀ ସେଲସିୟସରୁ ତଳକୁ ଖସିଯାଏ । ତେବେ ଜାପାନର ଏହି ଚନ୍ଦ୍ରଯାନକୁ ଏଭଳି ପରିସ୍ଥିତି ପାଇଁ ଡିଜାଇନ୍ କରାଯାଇ ନଥିଲେ ମଧ୍ୟ ଏହା ତୃତୀୟ ଥର ପାଇଁ ଏଭଳି ସମସ୍ୟାକୁ ମାତ୍ ଦେଇଛି । ଏହି ଚନ୍ଦ୍ରଯାନ ଗୋଟିଏ ଚନ୍ଦ୍ରରାତି ପର୍ଯ୍ୟନ୍ତ ଜୀବିତ ରହିବା ନେଇ ମଧ୍ୟ ଆଶଙ୍କା ରହିଥିଲା । କିନ୍ତୁ ଗତ ଜାନୁୟାରୀ ୧୯ ତାରିଖରେ ଚନ୍ଦ୍ରମାରେ ପାଦ ଥାପିଥିବା ଜାପାନର ଏହି ଚନ୍ଦ୍ରଯାନ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ଟିଭ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଥାଉ କି, ଚଳିତବର୍ଷର ଆରମ୍ଭରେ ଜାପାନ ନିଜର ମୁନ୍ ମିଶନ୍ ଲଞ୍ଚ୍ କରିଥିଲା । ତେବେ ଜାନୁୟାରୀ ୧୯ ତାରିଖରେ ଚନ୍ଦ୍ରମାରେ ଅବତରଣ କରି ପୃଥିବୀର ପଞ୍ଚମ ଦେଶ ପାଲଟିଛି ଜାପାନ । ଚନ୍ଦ୍ରର ଭୂମଧ୍ୟ ରେଖା ନିକଟସ୍ଥ ଏକ ଅଞ୍ଚଳ, ଯେଉଁଠି ଆପୋଲୋ ୧୧ ପ୍ରଥମ ଥର ପାଇଁ ମଣିଷଙ୍କୁ ଚନ୍ଦ୍ରମାରେ ଓହ୍ଲାଇଥିଲା, ସେହ ସ୍ଥାନରେ ଅନ୍ତରୀକ୍ଷ ଯାନ ଶିୟୋଲି କ୍ରେଟର ନିକଟରେ ଅବତରଣ କରିଥିଲା ଜାପାନ୍ ଚନ୍ଦ୍ରଯାନ । କିନ୍ତୁ ବୈଜ୍ଞାନିକଙ୍କ ଇଚ୍ଛା ଅନୁସାରେ, ଏହା ସଠିକ ଭାବରେ ଲ୍ୟାଣ୍ଡିଂ କରି ପାରିନଥିଲା । ଲାଣ୍ଡିଂ ସମୟରେ କିଛି ସମସ୍ୟା ହେବାରୁ ଏହାର ସୌର ପ୍ୟାନେଲ ସିଧା ରହିବା ପରିବର୍ତ୍ତେ ପଶ୍ଚିମ ଦିଗକୁ ରହିଥିଲା । ଯାହାଫଳରେ ଏହାକୁ ବିଜୁଳି ଉତ୍ପନ୍ନ କରିବା ପାଇଁ ଆବଶ୍ୟକୀୟ ସୂର୍ଯ୍ୟକିରଣ ପାଇବାରେ ଖୁବ ସମସ୍ୟା ଦେଖାଯାଇଛି । ତେବେ ବନ୍ଦ ହେବା ପୂର୍ବରୁ ଲାଣ୍ଡରରେ ଫଟୋ ପଠାଇବା ପାଇଁ ପର୍ଯ୍ୟାପ୍ତ ଶକ୍ତି ରହିଥିଲା । ତେଣୁ ସୌର ପ୍ୟାନେଲ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପହଞ୍ଚିଲେ ଏହା ପୁଣିଥରେ ଆକ୍ଟିଭ ହୋଇପାରିବ ବୋଲି ଆଶା ରଖିଥିଲେ ମୁନ୍ ମିଶନର ଟିମ୍ । ବର୍ତ୍ତମାନ ଏହା ସଫଳ ହୋଇଛି ।

Get real time updates directly on you device, subscribe now.