fbpx

କେତେ ସଫଳ ହେବ ଏଲନ୍ ମସ୍କଙ୍କ ବିଗ୍ ପ୍ଲାନ: ଆଗାମୀ ୧୦ ବର୍ଷରେ ମଣିଷ ମଙ୍ଗଳରେ ପହଞ୍ଚିବ, ୨୦ ବର୍ଷ ମଧ୍ୟରେ ସହର ସ୍ଥାପନ କରିବ!

Advertisement

ନୂଆଦିଲ୍ଲୀ: ସ୍ପେସେକ୍ସ ମୁଖ୍ୟ ଏଲନ ମସ୍କ ମାନବ ସଭ୍ୟତାକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ପୂର୍ବରୁ ସେ ଏ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନ ପାଇଁ ସେ କିଛି ବଡ଼ ବଡ଼ ମିଶନରେ କାମ କରୁଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳ ଗ୍ରହରେ ସହର ସ୍ଥାପନ କରିବା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏଲନ ଏପରି କହିଛନ୍ତି ।

ବିଶ୍ୱର ଅନ୍ୟତମ ଧନଶାଳୀ ବ୍ୟକ୍ତି ଏଲନ କହିଛନ୍ତି, ୫ ବର୍ଷରୁ କମ୍ ସମୟ ମଧ୍ୟରେ ବିନା ମାନବରେ ମଙ୍ଗଳ ଗ୍ରହରେ ପହଞ୍ଚିବା ସମ୍ଭବ ହୋଇପାରିବ । ୧୦ ବର୍ଷ ମଧ୍ୟରେ ମଣିଷ ସେଠାରେ ଅବତରଣ କରିବ । ୨୦ ବର୍ଷ ମଧ୍ୟରେ ସେଠାରେ ସହର ଗଢ଼ି ଉଠିବ । ଯଦି ଏହି ଅବଧି ମଧ୍ୟରେ ତାହା ସମ୍ଭବ ନହୁଏ, ତେବେ ୩୦ ବର୍ଷ ମଧ୍ୟରେ ମଙ୍ଗଳରେ ସହରୀ ସଭ୍ୟତା ଗଢ଼ି ଉଠିବା ସମ୍ଭବ ହୋଇପାରିବ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ମଙ୍ଗଳକୁ ନେଇ ଏଲନ ଦୀର୍ଘ ବର୍ଷ ହେଲା ପ୍ରୟାସ କରି ଆସିଛନ୍ତି । ମଣିଷକୁ କିପରି ସେଠାକୁ ପଠାଯିବ ଓ ସେଠାରେ କିପରି ସହର ସ୍ଥାପନ ହୋଇ ପାରିବ ତା’ ଉପରେ ଏକ ବଡ଼ ମିଶନ ଉପରେ ଏଲନ କାମ ଆରମ୍ଭ କରିଦେଇଛନ୍ତି । ଏହାକୁ ନେଇ କିଛି ଲୋକ ବେଶ୍ ଉତ୍ସାହିତ ହୋଇଉଠିଥିବା ବେଳେ ସେମାନଙ୍କର ଜୀବନ କାଳ ମଧ୍ୟରେ ଏହା ସମ୍ଭବ ହୋଇ ପାରିବ ନାହିଁ ବୋଲି ଅନେକ ଅନୁଭବ କରୁଛନ୍ତି । ତେବେ ଏଲନଙ୍କ ଏହି ଭବିଷ୍ୟତର ଯୋଜନାକୁ ନେଇ ପୁଣି ଥରେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଆଗାମୀ ଦିନରେ ପୃଥିବୀ ଉପରେ କୌଣସି ବିପଦ ଦେଖିବାକୁ ମିଳେ, ତେବେ ଏପରି ସ୍ଥିତିରେ ମଙ୍ଗଳ ଗ୍ରହ ମଣିଷ ପାଇଁ ଏକ ବଡ଼ ବରଦାନ ହୋଇପାରେ । ମଙ୍ଗଳ ଗ୍ରହକୁ ଯିବା ପାଇଁ ସବୁଠାରୁ ବଡ଼ ରକେଟ୍ ‘ଷ୍ଟାରଶିପ’ ନିର୍ମାଣ କରାଯାଇଥିବା ଏଲନ କହିଛନ୍ତି ।

ତେବେ ଏଲନଙ୍କର ଏହି ଯୋଜନା ବିଷୟରେ ଜାଣିବା ପରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ୩୦ ବର୍ଷ ପର୍ଯ୍ୟନ୍ତ ଆମେ ବଞ୍ଚିବା ସମ୍ଭବ ନୁହେଁ, ତେଣୁ ଏଥିପାଇଁ ଆର ଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣେ ୟୁଜର କହିଛନ୍ତି । ୧ ଲକ୍ଷ ଲୋକଙ୍କୁ ରେଡ୍ ପ୍ଲାନେଟକୁ ପଠାଇବା ନେଇ ଗତ ଫେବୃଆରୀ ମାସରେ ଏଲନ ତାଙ୍କର ବଡ଼ ଯୋଜନା ବିଷୟରେ ତଥ୍ୟ ଶେୟାର କରିଥିଲେ ।

Get real time updates directly on you device, subscribe now.