ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ବନିଛନ୍ତି ଏଲନ ମସ୍କ । ତେବେ ଟ୍ୱିଟର ନିଜ ହାତକୁ ଆସୁଆସୁ ଏଲନ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଦେଇଛନ୍ତି । ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଓ ସିଏଫଓ ନେଡ ସେଗଲଙ୍କୁ କମ୍ପାନୀରୁ ବହିଷ୍କୃତ କରାଯାଇଛି । ଏହି ଅଧିକାରୀଙ୍କୁ କମ୍ପାନୀ ହେଡକ୍ୱାର୍ଟରରୁ ମଧ୍ୟ ବାହାର କରାଯାଇଥିବା ରାୟଟର୍ସର ଏକ ରିପୋର୍ଟରୁ ଜଣାପଡ଼ିଛି ।
ଚଳିତ ବର୍ଷ ଏପ୍ରିଲ ୧୩ରେ ଏଲନ ଟ୍ୱିଟର କିଣିବା ନେଇ ଘୋଷଣା କରିଥିଲେ । ଟ୍ୱିଟରକୁ ଶେୟାର ପିଛା ୫୪.୨ ଡଲାର ରେଟ ହିସାବରେ ୪୪ ଅରବ ଡଲାରରେ କିଣିବା ପାଇଁ ସେ ଅଫର ଦେଇଥିଲେ । ମାତ୍ର ସ୍ପାମ ଓ ଫେକ ଆକାଉଣ୍ଟ କାରଣରୁ ସେ ଉକ୍ତ ଡିଲକୁ ହୋଲ୍ଡ କରି ରଖିଥିଲେ । ଏକ୍ଟାପରେ ଜୁଲାଇ ୮ରେ ସେ ଡିଲ ବାତିଲ୍ କରି ଦେଇଥିଲେ । ଏହା ବିରୋଧରେ ଟ୍ୱିଟର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ପରେ ଅକ୍ଟୋବର ମାସ ପ୍ରାରମ୍ଭରେ ମସ୍କ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ ଓ ପୁଣି ଥରେ ଡିଲ ପୂରା କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ୨୮ ଅକ୍ଟୋବର ସୁଦ୍ଧା ଡିଲା ପୂରା କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ମସ୍କ ଟ୍ୱିଟର ଦପ୍ତରରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ ।
ଟ୍ୱିଟରରେ ନକଲି ଆକାଉଣ୍ଟ ମାମଲାରେ ମସ୍କ ଓ ଟ୍ୱିଟର ନିବେଶକଙ୍କୁ ଅନ୍ଧାରରେ ରଖାଯାଇଥିଲା । ଏପରି ଅଭିଯୋଗ ସିଇଓ ଏବଂ ସିଏଫଓଙ୍କ ନାମରେ ଆସିଥିଲା । ତେବେ ଟ୍ୱିଟର ସହ ଡିଲ ପୂରା ହେବା ପରେ ମସ୍କ କମ୍ପାନୀର ଅଫିସରେ ପହଞ୍ଚି ଏହି ଦୁଇ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇ ଦେଇଥିଲେ । ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀ ଚାକିରି ହରାଇବାର ଆଶଙ୍କା ରହିଥିବା କୁହାଯାଉଛି ।